ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଜାତୀୟ ଯୁବ ନେତୃତ୍ୱ ସମ୍ମିଳନୀ ୨୦୨୬ରେ କଳାହାଣ୍ଡିର ଦେଉଣ୍ଡି ଗ୍ରାମର ଦୀପକ ବେହେରା ଜାତୀୟ ଯୁବ ନେତୃତ୍ୱ ପୁରସ୍କାର ୨୦୨୬ ରେ ସମ୍ମାନୀତ ହୋଇ କଳାହାଣ୍ଡିକୁ ଗର୍ବ ଓ ଗୌରବ ଆଣିଦେଇଛନ୍ତି। କଳାହାଣ୍ଡିର ବିଭିନ୍ନ ଯୁବ ନେତୃତ୍ୱ ବିକାଶ ଓ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅନେକବାର ଜାତୀୟ ଓ ଆନ୍ତର୍ଜାତିୟ ସ୍ତରରେ ସେ ଯୋଗଦାନ କରିଛନ୍ତି। ଜାତୀୟ ସହଂତି ଶିବିର, ଯୁବ ଦୁଃସାହସିକ ଶିବିର, ବିଶ୍ୱବିଦ୍ୟାଳୟସ୍ତରୀୟ ଯୁବ ନେତୃତ୍ୱ ଓ ପ୍ୟାରେଡ୍ ଶିବିର, ପୁରୀ ରଥଯାତ୍ରାରେ ସେବା ପ୍ରଦାନ ଏବଂ ଶ୍ରୀଲଙ୍କା ଗସ୍ତ କରି ନିଜ ଯୁବ ପ୍ରତିଭାର ପରିଚୟ ପ୍ରଦାନ କରିଥିଲେ। ଏତତ୍ ବ୍ୟତୀତ ବୃକ୍ଷରୋପଣ, ପଲିଥିନ୍ ମୁକ୍ତ ସମାଜ ଗଠନ, ସ୍ୱଚ୍ଛତା ଅଭିଯାନ, ମାଇ ଭାରତରେ ଅନେକ କାର୍ଯ୍ୟ ଦକ୍ଷତାର ସହ କରି ସେ ନିକଟ ଭିତରେ ରାଜ୍ୟସ୍ତରୀୟ ଯୁବ ସ୍ୱେଚ୍ଛାସେବୀ ନେତୃତ୍ୱ ପୁରସ୍କାର ପାଇଛନ୍ତି। ତାଙ୍କର ସାମଗ୍ରିକ ଯୋଗଦାନ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଯୁବ ମନ୍ତ୍ରଣାଳୟ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି। ସେ ଶ୍ରୀଲଙ୍କାର ହାଇ କମିଶନର ମିସ୍ ମାହିସିନି କଲୋନେଙ୍କ ଠାରୁ ଏହି ପୁରସ୍କାର ଦିଲ୍ଲୀରେ ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ କଳାହାଣ୍ଡି ଜିଲ୍ଲା ଏବଂ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଉଛି।





