ପରିବେଶ ସୁରକ୍ଷା ଆନ୍ଦୋଳନର ଆବଶ୍ୟକତା 

ଆଜି ବିଶ୍ୱ ପରିବେଶ ଦିବସ

ପରିବେଶ ସୁରକ୍ଷା ଆନ୍ଦୋଳନ ହେଉଛି  ପରିବେଶ ନୀତି ଓ ଚଳଣିରେ ପରିବର୍ତ୍ତନ   ବା ପରିବେଶ ସାମୁଖ୍ୟର ଅନୁକ୍ରମ ବିନ୍ୟାସ । ପରିବେଶ  ଆନ୍ଦୋଳନ ଯାହା ପରିବେଶ ପ୍ରସଙ୍ଗ ଓ ସମସ୍ୟାଗୁଡ଼ିକୁ ସମାଧାନ ହେଉଛି ଏହା  ଗୋଟିଏ ପ୍ରକାର ସାମାଳିକ ଆନ୍ଦୋଳନ ଯାହା ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟକରିଥାଏ।  ପରିବେଶର ସ୍ୱାର୍ଥରକ୍ଷା ଦିଗରେ ପରିବେଶ ଆନ୍ଦୋଳନର ଗୁରୁତ୍ଵ  ଅନେକ। କାରଣ ଏହି ଆନ୍ଦୋଳନଗୁଡ଼ିକର ଧାରାରୁ ଅଣ-ଆନୁଷ୍ଠାନିକ ତଥା ସାଧାରଣ ପ୍ରତିକ୍ରିୟା ଏକକ ପ୍ରସଙ୍ଗରୁ ଆରମ୍ଭ କରି ସମଗ୍ର ଜଗତରେ ସଂଗଠନଗୁଡ଼ିକ ପରି ପରିବେଶ ଆନ୍ଦୋଳନ ଓ ସଂଗଠନମାନଙ୍କର ଏକ ସମ୍ମିଳିତ ବା ସମୂହ ପ୍ରୟାସ ଯାହା କେବଳ ବିବିଧ ନୁହେଁ ସାଙ୍ଗଠନିକ ସ୍ୱରୂପ।  ସଂଗଠନଗୁଡ଼ିକ ସମ୍ମୁଖରେ ବିକଳ୍ପ ପସନ୍ଦମାନ ଉପସ୍ଥିତ । ସେମାନେ ଏ ଦିଗରେ ପେଶାଦାର ସଂଗଠନଗୁଡ଼ିକୁ ବ୍ୟବହାର କରିବେ ନା ଗଣ ଅଂଶଗ୍ରହଣ କୁ ପସନ୍ଦ କରିବେ; ପାରମ୍ପରିକ (conventional) କାର୍ଯ୍ୟଶୈଳୀକୁ ଆପଣାଇବେ ନା ଅଣପାରମ୍ପରିକ (unconventional) ପଦ୍ଧତିକୁ ପ୍ରୟୋଗ କରିବେ । ସାଧାରଣତଃ ଏଭଳି ପସନ୍ଦଗୁଡ଼ିକ ପରସ୍ପର ବିରୋଧୀ ହୋଇଥିଲେ ହେଁ ସ୍ଥାନ ଓ କାଳ ଭେଦରେ ସ୍ଵରୂପ ଓ କୌଶଳର ମିଶ୍ରରୂପ ଭିନ୍ନ ଭିନ୍ନ ହୋଇଥାଏ । ଯେମିତି ସମାଜ ଓ ରାଜନୀତିର ରୂପାନ୍ତରଣ ପ୍ରକ୍ରିୟାକୁ ଆମେ ସାଧାରଣତଃ ‘ ଜଗତୀକରଣ’ (globalisation) କିମ୍ବା ‘ଉତ୍ତର ଆଧୁନିକୀକରଣ’ (post-modernisation) ରୂପେ ଜାଣୁ, ସେମିତି ଆମେ ଆଶା କରିବା ଯେ ପରିବେଶ ଆନ୍ଦୋଳନ ଚରିତ୍ରର ରୂପାନ୍ତର ହେଉ । 

ଆନ୍ତର୍ଜାତୀୟ ସ୍ତରରେ ପରିବେଶ ସଙ୍କଟର କ୍ରମବଦ୍ଧିଷ୍ଣୁ ଗୁରୁତ୍ଵ ଚାରିଗୋଟି ଗୁରୁତ୍ଵପୂର୍ଣ ଘଟଣାଦ୍ଵାରା ସାମ୍‌ନାକୁ ଆସିଥିଲା । ପ୍ରଥମଟି ଥିଲା ୧୯୭୨ ମସିହାରେ ସ୍ଵିଡେନର ରାଜଧାନୀ ଷ୍ଟକହୋମରେ ଅନୁଷ୍ଠିତ ‘ମାନବ ପରିବେଶ’ ଉପରେ ମିଳିତ ଜାତିସଂଘର ସମ୍ମିଳନୀ । ଦ୍ଵିତୀୟଟି ଥୁଲା ‘ଅଭିବୃଦ୍ଧିର ସୀମା’ ର ପ୍ରକାଶନ । ତୃତୀୟଟି ହେଲା ୧୯୮୭ରେ ‘ଆମର ସାଧାରଣ ଭବିଷ୍ୟତ’ ଶିରୋନାମାରେ ପ୍ରକାଶିତ ବ୍ରୁଲାଣ୍ଡ ଆୟୋଗ ରିପୋର୍ଟ । ଚତୁର୍ଥଟି ଥିଲା ୧୯୯୨ରେ ଅନୁଷ୍ଠିତ ଧରିତ୍ରୀ ଶୀର୍ଷ ସମ୍ମିଳନୀ ।

ଭାରତରେ ପରିବେଶ ସୁରକ୍ଷା ଚିନ୍ତା ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ବ୍ରିଟିଶ ଶାସନ କାଳରେ ଆରମ୍ଭ ହୋଇଥିଲା । ସେତେବେଳେ  ଜଙ୍ଗଲ ସମ୍ପଦର ବ୍ୟବସାୟୀକରଣ ବିରୁଦ୍ଧରେ ଲୋକମାନେ ପ୍ରତିବାଦ କରିଥିଲେ । ତେବେ  ୧୯୭୦ ଦଶକରେ  ଏକ ସଂଗଠିତ, ଯୁକ୍ତିସଙ୍ଗତ ସଚେତନତା ଦେଖାଦେଲା ଏବଂ ସୀମିତ ପ୍ରାକୃତିକ ସମ୍ବଳ ଓ ତାହା ନିଃଶେଷ ହେବାରୁ ଚେତନତା ଦେଖାଦେଲା । ଭାରତରେ ପରିବେଶ ପ୍ରସଙ୍ଗରେ ବିତର୍କ  ସୃଷ୍ଟି କରିବା ଦିଗରେ ୧୯୭୩ ରେ ଘଟିଥିବା ତିନିଗୋଟି ଘଟଣା ସହାୟକ ହୋଇଥିଲା ବୋଲି ଐତିହାସିକ ତଥା ଅର୍ଥନୀତିଜ୍ଞ ରାମଚନ୍ଦ୍ର ଗୁହା ଦାବି କରନ୍ତି । ପ୍ରଥମଟି ହେଲା ୧୯୭୩ ମସିହା ଏପ୍ରିଲ ମାସରେ ଭାରତ ସରକାର ‘ବ୍ୟାଘ ପ୍ରକଳ୍ପ’  ଆରମ୍ଭ ହେବା କଥା ଘୋଷଣା କଲେ । ଦେଶର ଜାତୀୟ ପଶୁଙ୍କୁ ସୁରକ୍ଷା ଦେବା ଦିଗରେ ଏହା ଥିଲା ଏକ ଉଚ୍ଚାଭିଳାଷୀ ସଂରକ୍ଷଣ ଯୋଜନା । ଏହି ଘଟଣାରେ ଉତ୍ସାହିତ ତଥା ‘ବିଶ୍ଵ ବନ୍ୟଜୀବ ପ୍ରାଣି’  ଓ ପରିବେଶ ଆନ୍ତର୍ଜାତୀୟ ସଂଘ ଦ୍ବାରା ସହାୟତା ପ୍ରାପ୍ତ ହୋଇ ଭାରତୀୟ ପରିବେଶ ସଂରକ୍ଷଣବାଦୀମାନେ ସଙ୍କଟାପନ୍ନ ବନ୍ୟଜୀବଙ୍କ ସୁରକ୍ଷା ନିମନ୍ତେ ସାରା ଦେଶରେ ଜାତୀୟ ଚିଡ଼ିଆଖାନା ଓ ଅଭୟାରଣ୍ୟମାନ ପ୍ରତିଷ୍ଠା ପାଇଁ ସରକାରଙ୍କ ଉପରେ ଚାପ ପକାଇଲେ । ଦ୍ଵିତୀୟ ଘଟଣାଟି ଥିଲା ୧୯୭୩ ମସିହା ମାର୍ଚ୍ଚ ୩୧ ତାରିଖରେ ‘ଅର୍ଥନୈତିକ ଓ ରାଜନୈତିକ ସାପ୍ତାିକ  ପତ୍ରିକାରେ ‘ଭୂମି ପାଇଁ ଏକ ସନନ୍ଦ ଶିରୋନାମାରେ ପ୍ରକାଶିତ ଏକ ଲେଖା । ଏହାର ଲେଖକ ଶ୍ରୀ ବି.ବି.ଭୋରା କେନ୍ଦ୍ର କୃଷି ମନ୍ତ୍ରଣାଳୟରେ ଜଣେ ଉଚ୍ଚ ପଦସ୍ତ ଅଧିକାରୀ ଥିଲେ । ଏହି ଲେଖା ମାଧ୍ୟମରେ ସେ ମୃତ୍ତିକାର ଅବକ୍ଷୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ମଧ୍ୟ ଏ ଦିଗରେ ସରକାର ଫଳପ୍ରଦ ନୀତି ତିଆରି କରିବା ଓ ସରକାରୀ ବିଭାଗ ପ୍ରତିଷ୍ଠା କରିବା ପାଇଁ ଆହ୍ୱାନ ଦେଇଥିଲେ । ପରିଣାମ ସ୍ୱରୂପ ସେହି ବର୍ଷ ଶେଷ ଆଡ଼କୁ ସରକାର ‘ପରିବେଶ ସୁରକ୍ଷା ଓ ନିୟନ୍ତ୍ରଣ ଜାତୀୟ ସମିତି ଗଠନ କଲେ । ୧୯୮୦ ମସିହାରେ ପରିବେଶ ବିଭାଗ  ପ୍ରତିଷ୍ଠା ହେଲା ଏବଂ ତାହାର ୫ ବର୍ଷ ପରେ ‘ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ’ ସୃଷ୍ଟି ହେଲା । ତୃତୀୟ ଘଟଣାଟି ଏହିପରି । ହିମାଳୟ ଅଭ୍ୟନ୍ତର ଅଞ୍ଚଳରେ ଥିବା ମଣ୍ଡଳ ନାମକ ଗ୍ରାମରେ ଦଳେ କୃଷକ ସେଠାରେ ଗଛର ଗଣ୍ଡିଗୁଡ଼ିକୁ କୁଣ୍ଢାଇ ବା ଆଲିଙ୍ଗନ କରି ଗଛ କଟାଳିଙ୍କୁ ଗଛ କାଟିବାକୁ ବାଧା ଦେଲେ । ଏହି ଘଟଣାଟି ୧୯୭୦ ଦଶକରେ ସେହିଭଳି ଅନେକ ପ୍ରତିବାଦ ଆନ୍ଦୋଳନକୁ ଜନ୍ମ ଦେଲା ଯାହା ସମୂହ ଭାବେ ‘ ଚିପକୋ ଆନ୍ଦୋଳନ’ ନାମରେ ପରିଚିତ । ଚିପ୍‌କୋ ଏକ ହିନ୍ଦି ଶବ୍ଦ ଯାହାର ଅର୍ଥହେଲା କୁଣ୍ଢାଇଧର । ଏହି ଘଟଣା ପରିବେଶ, ସମାନତା ଓ ସାମାଜିକ ନ୍ୟାୟ ସମ୍ପର୍କୀୟ ମୌଳିକ ପ୍ରଶ୍ନକୁ ଜନ୍ମଦେଲା ଏବଂ ସାରା ଦେଶରେ ବିତର୍କ ଓ କାର୍ଯ୍ୟାନୁଷ୍ଠାନକୁ ପ୍ରୋତ୍ସାହିତ କଲା ।

ଭାରତରେ ବିଗତ ତିନି ଦଶନ୍ଧି  ମଧ୍ୟରେ ପରିବେଶ ଆନ୍ଦୋଳନ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ତିନୋଟି କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ ଭୂମିକା ନେଇଛି ଯଥା – (୧) ପରିବେଶ ଓ ବିକାଶ ମଧ୍ଯରେ ସନ୍ତୁଳନ ଆଣିବା ଦିଗରେ ଜନ ସଚେତନତା ସୃଷ୍ଟି କରିବା, (୨) ସାମାଜିକ ଓ ପରିବେଶୀୟ କ୍ଷେତ୍ରର ଶତ୍ରୁଭାବାପନ୍ନ ବିକାଶ ପ୍ରକଳ୍ପକୁ ବିରୋଧ କରିବା, (୩) ନମୁନା ପ୍ରକଳ୍ପ ସଂଗଠିତ କରିବା ଯାହା ଅଣ-ଅମଲାତାନ୍ତ୍ରିକ ଅଂଶଗ୍ରହଣକାରୀ ଗୋଷ୍ଠୀ-ଆଧାରିତ। ଅଭିରାମ ଶର୍ମା (୨୦୦୭)ଙ୍କ ମତରେ ଭାରତରେ ପରିବେଶ ଆନ୍ଦୋଳନ ସୃଷ୍ଟି ହେବାର ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ରହିଛି – (୧-ପ୍ରାକୃତିକ ସମ୍ବଳ ଉପରେ ନିୟନ୍ତ୍ରଣ (୨) ସରକାରଙ୍କ ମିଥ୍ୟା ବା ତ୍ରୁଟିପୂର୍ଣ୍ଣ ବିକାଶ ନୀତି (୩) ସାମାଜିକ-ଅର୍ଥନୈତିକ କାରଣ (୪)ପରିବେଶ ପ୍ରସଙ୍ଗରେ ଅବକ୍ଷୟ ଓ ବିନାଶ (୫) ପରିବେଶ ସଚେତନ ଗଣମାଧ୍ୟମର ବିସ୍ତାର । ପରିବେଶ ଆନ୍ଦୋଳନଗୁଡ଼ିକ ବିଭିନ୍ନ ସ୍ଥାନରେ  ସ୍ୱାଧୀନ ପ୍ରତିକ୍ରିୟା ଆଧାରରେ ଗଢି ଉଠିଛି । ଏହା ଉତ୍ତର ପ୍ରଦେଶର ହିମାଳୟ ଅଞ୍ଚଳଠାରୁ ଆରମ୍ଭ କରି କେରଳର ଗ୍ରୀଷ୍ମମଣ୍ଡଳ ଜଙ୍ଗଲ ପର୍ଯ୍ୟନ୍ତ ଏବଂ ଗୁଜରାଟରୁ ଆରମ୍ଭ କରି ତ୍ରିପୁରା ପର୍ଯ୍ୟନ୍ତ ପରିବ୍ୟାପ୍ତ ।

ଏହିସବୁ ଘଟଣା ପରେ ଭାରତରେ ବିଭିନ୍ନ ସ୍ଥାନରେ ପରିବେଶ ସୁରକ୍ଷା ଚିନ୍ତା କରିବାର ସୁଯୋଗ ପାଇଥିଲେ। ପରିବେଶକୁ ସୁରକ୍ଷା ଦେବା ଦାୟିତ୍ବ ମଣିଷର ବୁଝିବା ପାଇଁ ଅନେକ ବର୍ଷ ଲାଗିଛି। ଏବେ ସମସ୍ତେ ବୁଝିଗଲେଣି। ତଥାପି ସମସ୍ତ ବ୍ୟବସ୍ଥା ବୁଝିପାରି ମଧ୍ୟ ମଣିଷ ଅଜଣା। ବିଭିନ୍ନ ପ୍ରକାରର ଲୋଭ ପାଇଁ ମଣିଷ ବେଶୀ ପରିମାଣରେ ପରିବେଶକୁ ନଷ୍ଟ କରୁଛି। ପରିବେଶର ସୁରକ୍ଷା ଯଦି ହେବ ନାହିଁ ତାହେଲେ ପ୍ରଥମେ ମଣିଷ ହିଁ ପ୍ରମମେ ଅସୁବିଧାର ସମ୍ମୁଖୀନ ହେବ। ପରିବେଶ ରହିଲେ ହିଁ ଆମେ ରହିବା ଏହି କଥାକୁ ଚିନ୍ତା କରି ପରିବେଶ ସୁରକ୍ଷା କରିବା।

ମୋହନ ଚରଣ ବିଷି 
ଗଡରାମାଲ, କୋକସରା, କଳାହାଣ୍ଡି 
ମୋ: ୯୭୭୭୪୬୮୮୪୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.