ସିପିଆଇ (ଏମ୍ ଏଲ୍) ନେତା କେଶବ ପଧାନଙ୍କ ଦେହାନ୍ତ : ଅଞ୍ଚଳରେ ଶୋକର ଛାୟା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଘଣ୍ଟମାଳ ଗାଁର ସଂଗ୍ରାମୀ କମ୍ୟୁନିଷ୍ଟ ନେତା କମ୍ରେଡ କେଶବ ପଧାନ ଆଜି ମଧ୍ୟାହ୍ନ ଦେଢ ଘଣ୍ଟା ସମୟରେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହେଉଥିଲା। ସେ ଦୀର୍ଘ ଦିନରୁ ଲିଭର ଜନିତ ସମସ୍ୟାରେ ପୀଡିତ ଥିଲେ। ଚିକିତ୍ସା ପାଇଁ ପ୍ରତି ମାସରେ ନିୟମିତ ବରଗଡ ଘରୋଇ ଡାକ୍ତରଖାନାକୁ ଯାଉଥିଲେ। ସିପିଆଇ (ଏମ୍ ଏଲ୍)ର ସେ କଳାହାଣ୍ଡି ଜିଲ୍ଲା ସମ୍ପାଦକ ଭାବରେ କାର୍ଯ୍ୟ କରି ଆସୁଥିଲେ। ସରକାରଙ୍କ ଜଙ୍ଗଲ ଜମି ଅଧିକାର ଆଇନରେ ନର୍ଲା, ମଦନପୁର ରାମପୁର ବ୍ଲକ, କର୍ଲାମୁଣ୍ଡା ବ୍ଲକରେ ରହିଥିବା ୧୦ ରୁ ଉର୍ଦ୍ଧ୍ବ ପଦର ବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପାଇଁ ସେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ସରକାରଙ୍କ ସହ ଲଢେଇ କରି ଆସୁଥିଲେ। ତାଙ୍କ ଲଢେଇ ସଫଳ ହେଲା। ଗତବର୍ଷ ଜଙ୍ଗଲ ଜମି ଅଧିକାର କରି ରହି ଆସୁଥିବା ଅନେକ ପଦରବାସୀ ଜମି ପଟ୍ଟା ପାଇଲେ। ଗରୀବଙ୍କ ପାଇଁ ସେ ସବୁ ସମୟରେ ଲଢେଇ କରି ଆସୁଥିଲେ। ସେ ଜଣେ ଉତ୍ତମ ଚାଷୀ ମଧ୍ୟ ଥିଲେ। ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମ ପତ୍ନୀ ଓ ପୁଅ ଉପସ୍ଥିତ ଥିଲେ। ତାଙ୍କ ନିଧନରେ ତାଙ୍କ ସହଯୋଗୀ ସିପିଆଇ (ଏମ୍ ଏଲ୍) ନେତା ତଥା ଜିଲ୍ଲା ସହ ସମ୍ପାଦକ ଦୟା ସାଗର ନାଏକ, ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡିଓ ବିପିନ ବିହାରୀ ଦୀପ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ନର୍ଲା ଅତିରିକ୍ତ ତହସିଲଦାର ମନୋରଂଜନ ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.