ଓଡ଼ିଆ ବାର୍ତ୍ତ/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କାଶିପୁର ବ୍ଲକ କୋଡିଙ୍ଗାମାଳି ବକ୍ସାଇଟ ଖଣି ସଂପ୍ରସାରଣ ପାଇଁ ଆଜି ରାୟଗଡା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଜନ ଶୁଣାଣିରେ କାଶିପୁର ବ୍ଲକ ପୋଡାପାଡି ଏବଂ ବାଙ୍କାମ୍ବ ଗ୍ରାମ ପଞ୍ଚାୟତର ୭ଟି ଗ୍ରାମବାସି ଅଂଶଗ୍ରହଣ କରିଥିଲେ । ଜନଶୁଣାଣିରେ ୨୫ରୁ ଉର୍ଦ୍ଧ ଗ୍ରାମବାସି ସଂପ୍ରସାରଣ ସପକ୍ଷରେ ବକ୍ତବ୍ୟ ରଖିଥିବା ବେଳେ ୨୩ ଜଣ ଗ୍ରାମବାସୀ ଲିଖିତ ଭାବେ କୋଡିଙ୍ଗାମାଳି ବକ୍ସାଇଟ ଖଣି ସଂପ୍ରସାରଣ ପାଇଁ ସହମତି ପ୍ରଦାନକରିଥିଲେ । ଏଥି ସହ ୨ଟି ପଞ୍ଚାୟତର କଂସାରୀଗୁଡା, ପୋଡାପାଡି, କିନ୍ଦିରିପଦର, ଫୁଲଜବା, ଉପରକୋଡିଙ୍ଗା, ବାଙ୍କାମ୍ବା ଏବଂ ବଜରଗଡ ଗ୍ରାମର ୫ଶହରୁ ଉର୍ଧ୍ବ ଗ୍ରାମବାସି ଯୋଗଦାନ କରି କୋଡିଙ୍ଗାମାଳି ବକ୍ସାଇଟ ଖଣି ସଂପ୍ରସାରଣ ପାଇଁ ସହମତି ପ୍ରଦାନ କରିଥିଲେ । କୋଡିଙ୍ଗାମାଳି ବକ୍ସାଇଟ ଖଣି ସଂପ୍ରସାରଣ ପାଇଁ ଗ୍ରାମବାସି ମାନେ ସହମତି ପ୍ରଦାନ କରିଥିଲେ ମଧ୍ୟ ଗ୍ରାମବାସି ମାନେ ସ୍ଥାନୀୟ ଅଞ୍ଚଳରେ ରହିଥିବା ମୌଳିକ ସୁବିଧା ପ୍ରତି ଦୃଷ୍ଟି ଦେବାକୁ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ, ରାସ୍ତା, ବିଦ୍ୟାଳୟ, ଭତ୍ତା, ସ୍ୱାସ୍ଥ୍ୟ ସେବା ର ସୁବିଧା ଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ସହ ପାରିପାର୍ଶ୍ବିକ ଉନ୍ନତି ପାଇଁ ଦାବି କରିଥିଲେ । ଏଠାରେ ସୂଚନା ଜୋଗ୍ୟଯେ ଆଜି ଓଡିଶା ଖଣି ନିଗମ ଦ୍ବାରା ପରିଚାଳିତ କୋଡିଙ୍ଗାମାଳି ବକ୍ସାଇଟ ଖଣି ସଂପ୍ରସାରଣ ପାଇଁ ଜନଶୁଣାଣି ଥିଲା । ଅବିଭକ୍ତ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଏବଂ କାଶିପୁର ତହସିଲ ଅନ୍ତର୍ଗତ ୪୨୮.୦୭୫ ହେକ୍ଟର ପରିମିତ ଅଞ୍ଚଳରେ କୋଡିଙ୍ଗାମାଳି ବକ୍ସାଇଟ ଖଣିରୁ ବାର୍ଷିକ ୩.୬ ନିୟୁତରୁ ୬.୦ ନିୟୁତ ଟନ ବକ୍ସାଇଟ ସଂପ୍ରସାରଣର ରାୟଗଡା ଜିଲ୍ଳାର କାଶିପୁର ବ୍ଲକ ଅଞ୍ଚଳ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ ରହିଥିଲା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାୟଗଡା ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ଆୟୋଜିତ ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ନିହାର ରଞନ କହଁର, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଅଶୋକ ଭୋଇଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୁଣପୁର ଉପଜିଲ୍ଲାପାଳ ଦିଲିପ ଅଭିଷେକ ଦୁଧାଲ,ରାୟଗଡା ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । ଆଇନ ଶୃଂଖଳାକୁ ଦୃଷ୍ଟିର ରଖି ବ୍ୟାପକ ପୁଲିସ ମୂତୟନ କରାଯାଇଥିଲା ।





