ରେତ ଡାହାଣ କେନାଲ ସମ୍ପ୍ରସାରଣ ଦାବି; ଜନ ଆନ୍ଦୋଳନର ରୂପ ନେଲା
ହକ ପାଇଁ ଲଢ଼ିବେ ଚାଷୀ ସମୁହ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରେତ ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ୮୫୦୦ ହେକ୍ଟର ଜମି ଜଳସେଚନ ହେଉଥିବା କୁହାଯାଉଥିବାବେଳେ ନାକତଳେ ପାଣି ଥାଇ ଶୋଷରେ ମରୁଛନ୍ତି ନର୍ଲା ଓ ଲାଞ୍ଜିଗଡ଼ ବ୍ଲକର ସୀମାନ୍ତ ଲୋକେ। ରେତ ବିସ୍ଥାପିତମାନଙ୍କୁ ସେମାନେ ଜମି ଦେଲେ, ଜାଗା ଦେଲେ କିନ୍ତୁ ନିଜବେଳକୁ ଚାଷ ପାଇଁ ପାଣି ମୁନ୍ଦେ ବି ପାଇପାରୁନାହାନ୍ତି ସେମାନେ। ଏପରିକି ଦୀର୍ଘ ପନ୍ଦର ବର୍ଷ ହେଲା ଚାଷୀମାନେ ରେତ କେନାଲର ପାଣି ପାଇଁ ଦାବି, ଅଭିଯୋଗ ଓ ଆନ୍ଦୋଳନ କରି ଆସୁଥିବାବେଳେ ଆଜି ପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଥିବାବେଳେ ଆଜି ସମବେତ ଚାଷୀ ଏକ ବୈଠକରେ ସମ୍ମିଳିତ ହୋଇଛନ୍ତି। ଚିର ମରୁଡ଼ିଗ୍ରସ୍ତ ଅଞ୍ଚଳକୁ ଜଳସେଚନ ପାଇଁ ପାଣି ଦରକାର ବୋଲି ଆହ୍ୱାନ ଦେଇଛନ୍ତି। କୃଷକ ବିକାଶ ମଞ୍ଚର ଆବାହକତ୍ୱରେ ଆୟୋଜିତ ବୈଠକରେ ଅତିଥି ଭାବେ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ଉପସଭାପତି ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଚାଷୀଙ୍କ ଦାବି ପ୍ରତି ନିଜର ଦୃଢ଼ ସମର୍ଥନ ବ୍ୟକ୍ତ କରିଥିଲେ। ବରିଷ୍ଠ ଚାଷୀ ମଗଶିର ଗଉଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନର୍ଲା ବ୍ଲକର କାଡ଼ମ, ସାପଦୁହୁନି, ନାଗଝରି, ତେନ୍ତୁଳିପଦର, ଧୃକୁଟି, କୁଚେଇଯୋର ସମେତ ଲାଞ୍ଜିଗଡ଼ ବ୍ଲକର ଗୋପାଳପୁର, ଭାଲୁଚଞ୍ଚରା, ପାଟଭାଲେର, ମଧୁପୁର, ରାମଚନ୍ଦ୍ରପୁର, ପାଣିମୁଣ୍ଡା, ଗୋବର୍ଦ୍ଧନପୁର, କେଶପଲା ଆଦି ଗାଁରୁ ଦୁଇଶହରୁ ଉର୍ଦ୍ଧ୍ଵ ଚାଷୀ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ବୈଠକରେ ରେତ ଡାହାଣ କେନାଲ ସମ୍ପ୍ରସାରଣ, ବାଦ ପଡ଼ିଥିବା ସମସ୍ତ ଗାଁକୁ ସର୍ଭେରେ ସାମିଲ କରିବା, ପୂର୍ବରୁ ହୋଇଥିବା ତ୍ରୁଟିପୂର୍ଣ୍ଣ ସର୍ଭେକୁ ବାତିଲ କରିବା, ଏଥିପାଇଁ ଗାଁ ଗାଁରେ ଚାଷୀଙ୍କୁ ସଂଗଠିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ଚାଷୀ ନେତା ଟଙ୍କଧର ମେହେର, ରୁଦ୍ର ପ୍ରସାଦ ସାହୁ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ତପନ ମାଝୀ, ଅଶୋକ ପାଢ଼ୀ, ପୁରୁଷୋତ୍ତମ ପୁଟେଲ, ଶୋଭାବନ ଛତର, ବୀରେନ ପାଢ଼ୀ, ବଳରାମ ଗଉଡ଼, ମାନଗୋବିନ୍ଦ ବିଶି, ସଞ୍ଜୟ ପାଢ଼ୀ, ମାଧବ ମାଝୀ, ମୋହନ ପୁଟେଲ, ପ୍ରଭାତ ରଞ୍ଜନ ବେହେରା, ନୀଲେଶ ପାଢ଼ୀ, ବଡ଼ ଧାରପୁର ସରପଞ୍ଚ ପର୍ଶୁରାମ ହରପାଲ, ସମିତିସଭ୍ୟା ପ୍ରତିନିଧି ବିଜୟ ହରପାଲ, ବିଜେପି ନେତା ତୋଫାନ ସୁନାନୀ ପ୍ରମୁଖ ଉପସ୍ଥିତ ଚାଷୀଙ୍କୁ ଉଦବୋଧନ ଦେଇଥିଲେ। ସାମ୍ବାଦିକ ତଥା ସମାଜସେବୀ ସୁଶୀଲ କୁମାର ବାଗ ସଭା ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି କାର୍ଯ୍ୟକ୍ରମ ପରିଚାଳନାରେ ଉଗ୍ରସେନ ଭାଟି, ବିଶିକେଶନ ଭାଟି, ବଳରାମ ଗଉଡ଼, ମଧୁସୂଦନ ଭାଟି, ବିଘ୍ନେ ମାଝୀ, ସୀତାକାନ୍ତ ଗଉଡ଼, କଳାକାହ୍ନୁ ବୁଦ୍ଧିଆ, ଗୁରୁବାରୁ ଗଉଡ଼ଙ୍କ ସମେତ କୁଚେଇଯୋର ଗ୍ରାମର ଚାଷୀ ସହଯୋଗ କରିଥିଲେ।





