ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ହିନ୍ଦୀ ପତ୍ରିକା ଦୈନିକ ଭାସ୍କରର ଦୀର୍ଘଦିନର ପ୍ରତିନିଧି ଜି.ଭି.ଆର.ପଟ୍ଟନାୟକଙ୍କ ଅକାଳ ବିୟୋଗରେ ସମଗ୍ର ଜିଲ୍ଲାର ସାମ୍ବାଦିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୃତ୍ୟୁର ତୃତୀୟ ଦିନରେ ଜିଲ୍ଲା ସଂସ୍କୃତି ଭବନ ଠାରେ ମିଡିଆ କେୟାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି କାମନା କରାଯାଇଛି। ସ୍ୱର୍ଗତ ପଟ୍ଟନାୟକ ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ରାୟଗଡ଼ା ଜିଲ୍ଲାରେ ଜଣେ ପେଷାଦାର ସାମ୍ବାଦିକ ରୂପେ କାର୍ଯ୍ୟ କରିଆସୁଥିଲେ। ହିନ୍ଦୀ ଖବରକାଗଜ ଦୈନିକ ଭାସ୍କର ସହ ଜଡିତ ରହି ସେ ନିଷ୍ଠା ଓ ନିର୍ଭୀକତାର ସହିତ ଜନସାଧାରଣଙ୍କ ସମସ୍ୟାକୁ ଖବର ମାଧ୍ୟମରେ ପ୍ରଶାସନ ଏବଂ ସମାଜ ସମ୍ମୁଖରେ ଉପସ୍ଥାପନ କରୁଥିଲେ। ଚଳିତ ମାସ ୨୦ ତାରିଖରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ଅମର ଆତ୍ମାର ସଦଗତି କାମନା କରି ମିଡିଆ କେୟାର ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ସଭାରେ ଉପସ୍ଥିତ ସାମ୍ବାଦିକ ଓ ଶୁଭେଚ୍ଛୁମାନେ ସ୍ୱର୍ଗତ ପଟ୍ଟନାୟକ ଙ୍କ ଫଟୋଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ବାଦଲ ତା, ଗୋପ ରଞ୍ଜନ ବକ୍ସିପାତ୍ର, ରଶ୍ମି ରଞ୍ଜନ ଦୋରା, ରବୀନ୍ଦ୍ର ପାଠଖଣ୍ଡାଳ, ଯୋଗେଶ୍ୱର ଦାସ, ଶିବ ପ୍ରସାଦ ପାଢ଼ୀ, ଅଜୟ ରଥ, ଗଣେଶ ସାହୁ, ଦୟାନିଧି ଖାଡ଼ଙ୍ଗା, ରବି ବୈଦ୍ୟ, ମନୋଜ ସାହୁ, ରାୟଗଡା ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକରି, ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ସମେତ ବହୁ ସାମ୍ବାଦିକ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ସଭାରେ ସ୍ୱର୍ଗତ ପଟ୍ଟନାୟକଙ୍କ ସାମ୍ବାଦିକତା କ୍ଷେତ୍ରରେ ଅବଦାନ, ତାଙ୍କର ନିଷ୍ଠାପର କାର୍ଯ୍ୟଶୈଳୀ ଏବଂ ସମାଜ ପ୍ରତି ତାଙ୍କର ଦାୟିତ୍ୱବୋଧ ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା। ତାଙ୍କ ବିୟୋଗ ରାୟଗଡାର ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ଗଣମାଧ୍ୟମ ର ପ୍ରତିନିଧି ମାନେ ମତ ପ୍ରକାଶ କରିଥିଲେ। ତାଙ୍କ ସରଳ ବ୍ୟବହାର ସର୍ବଦା ଯୁବ ସାମ୍ବାଦିକ ମାନଙ୍କ ପାଇଁ ଅନୁକରଣୀୟ ଏବଂ ସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ସାମ୍ବାଦିକ ମାନେ କହିଥିଲେ। ଶେଷରେ ସ୍ୱର୍ଗତ ପଟ୍ଟନାୟକଙ୍କ ଅମର ଆତ୍ମାର ଶାନ୍ତି କାମନା କରି ସମସ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।





