ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଦକ୍ଷିଣ ପୂର୍ବ ରେଳବାଇ (ଏସ୍ଇଆର୍)ର ମହାପ୍ରବନ୍ଧକ ଅନିଲ କୁମାର ଜୈନ ଶାଲିମାର-ଖଡ଼ଗପୁର-ବାଲେଶ୍ୱର-ରାଣୀତାଲ ରେଳପଥର ବ୍ୟାପକ ପରିଦର୍ଶନ କରି ବାଲେଶ୍ୱର ଜିଲ୍ଲାରେ ଚାଲିଥିବା ରେଳ ଭିତ୍ତିଭୂମି ବିକାଶ ଓ ଯାତ୍ରୀ ସୁବିଧା ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଖଡ଼ଗପୁର ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଲଲିତ ମୋହନ ପାଣ୍ଡେ ଏବଂ ଦକ୍ଷିଣ ପୂର୍ବ ରେଳବାଇର ବରିଷ୍ଠ ଅଧିକାରୀମାନେ ଏହି ପରିଦର୍ଶନରେ ତାଙ୍କ ସହ ଉପସ୍ଥିତ ଥିଲେ।
ଏହି ଅବସରରେ ସେ ଅମୃତ ଷ୍ଟେସନ ଯୋଜନା ଅଧୀନରେ ବାଲେଶ୍ୱର, ଜଳେଶ୍ୱର ଓ ବେଲଦା ରେଳ ଷ୍ଟେସନରେ ଚାଲିଥିବା ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। ମହାପ୍ରବନ୍ଧକ ଷ୍ଟେସନ ଆଧୁନିକୀକରଣ ପ୍ରକଳ୍ପର ଅଗ୍ରଗତି ଆକଳନ କରିବା ସହ ଯାତ୍ରୀ ସୁବିଧା ବୃଦ୍ଧି, ଷ୍ଟେସନର ସୌନ୍ଦର୍ଯ୍ୟକରଣ, ଦିବ୍ୟାଙ୍ଗ-ଅନୁକୂଳ ବ୍ୟବସ୍ଥା, ସର୍କୁଲେଟିଂ ଏରିଆ, ପ୍ରତୀକ୍ଷାଳୟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ଗୁଣାତ୍ମକ ମାନଦଣ୍ଡ ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବାଲେଶ୍ୱର ରେଳ ଷ୍ଟେସନ ପରିଦର୍ଶନ ସମୟରେ ମହାପ୍ରବନ୍ଧକ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତଙ୍କ ସହ ଆଲୋଚନା କରିଥିଲେ।
ବୈଠକରେ ଜିଲ୍ଲାର ବିଭିନ୍ନ ରେଳ ସମ୍ବନ୍ଧୀୟ ସମସ୍ୟା, ଯାତ୍ରୀ ସୁବିଧା, ଭିତ୍ତିଭୂମି ବିକାଶ, ରେଳ ସେବା ଏବଂ ଭବିଷ୍ୟତ ବିକାଶମୂଳକ ଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଉଠିଥିବା ପ୍ରସ୍ତାବ ଓ ଦାବିଗୁଡ଼ିକୁ ଉପଯୁକ୍ତ ଭାବେ ବିଚାର କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମହାପ୍ରବନ୍ଧକ ଆଶ୍ୱାସନ ଦେଇଥିଲେ।
ପରିଦର୍ଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ସେ ରାଣୀତାଲ ଷ୍ଟେସନ ଏବଂ ସଂଲଗ୍ନ ରେଳ ପରିସରର ପରିଚାଳନା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଥିଲେ। ସମଗ୍ର ପରିଦର୍ଶନ ସମୟରେ ରେଳ ସୁରକ୍ଷା ସୁଦୃଢ଼ୀକରଣ, ଯାତ୍ରୀ ସୁବିଧାର ଉନ୍ନତି, ପରିଚାଳନାଗତ ଦକ୍ଷତା ବୃଦ୍ଧି ଏବଂ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।





