ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ଏକ ବୃହତ କାର୍ମଶାଳା ବିଶ୍ଵନାଥପୁର ମାଁ ହୀରାନୀଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଶ୍ରୀ ମେହେର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହିବା ଏବଂ ଶ୍ରେଣୀରେ ଶିକ୍ଷାଦାନକୁ ସର୍ବୋଚ୍ଚ ଗୁରୁତ୍ବ ଦେବାକୁ କହିଥିଲେ। ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ହିଁ ଆମ ଲକ୍ଷ୍ୟ ବୋଲି ସେ ଦୃଢ଼ ଭାବେ କହିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଏମ ଆଇଏସ ରାକେଶ ମିଶ୍ର ଇଉଡିଆଇଏସ୍ଇ ପ୍ଲସ୍ ପୋର୍ଟାଲ୍ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକରଣ, ଏମ୍ ବିୟୁଇ ପ୍ରୋଗ୍ରେସନ୍, ଇପି, ଜିପି, ଶିକ୍ଷଣ ଏବଂ ଆଧାର ଅପଡେଟ୍ କିପରି ଠିକ୍ ଭାବେ କରାଯିବ ସେ ନେଇ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଶ୍ରୀ ମେହେର ଆହୁରି କହିଥିଲେ ଯେ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ଯେପରି ଉତ୍ତମ ମଧ୍ୟାହ୍ନ ଭୋଜନ ଏମଡିଏମ୍ ପାଇପାରିବେ ସେଥିପ୍ରତି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯତ୍ନବାନ ହେବାପାଇଁ କହିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଏବଂ ଜିଲ୍ଲା ନିଲ୍ପ କୋଡିନେଟର ହରିଶ୍ଚନ୍ଦ୍ର ମୁଣ୍ଡ ଉପସ୍ଥିତ ଥିଲେ। ସେମାନେ କହିଥିଲେ ନିଲ୍ପ କାର୍ଯ୍ୟକୁ ସଠିକ୍ ଭାବେ କରିବା ପାଇଁ ସମସ୍ତେ ଠିକ୍ ରେଜିଷ୍ଟ୍ରେସନ୍ କରିବେ। ୨୦୨୬-୨୭ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀ ନୂଆ ବହି ମାଧ୍ୟମରେ ଶିକ୍ଷା ଗ୍ରହଣ କରିବାରୁ ଶିକ୍ଷକମାନେ ପଞ୍ଚପଦୀ ଶିକ୍ଷଣ ପଦ୍ଧତି ଉପରେ ଗୁରୁତ୍ବ ଦେବେ। ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ସହ ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବା ଆମର ମୁଖ୍ୟ ଦାୟିତ୍ବ ବୋଲି ସେମାନେ କହିଥିଲେ। ପରି ଶେଷରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢ଼ଳଦେବ ମୁଣ୍ଡ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ୧୩ ଗୋଟି କ୍ଲଷ୍ଟର ସଂଯୋଜକ ମାନେ ପରିଚାଳନାରେ ସହଯୋଗ କରିଥିଲେ।





