ପଟିଦିଅଁ ଅଙ୍କନ ଉତ୍ସବ: ଅନନ୍ତ ନାରାୟଣ, ବାସୁଦେବ ଓ ଭୁବନେଶ୍ଵରୀ ପଟିରେ ଲାଗିଲା ରଙ୍ଗ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ନୋସି କଲଚରାଲ ଏକାଡ଼େମୀ ଓ ବାଲେଶ୍ଵରୀ କଳା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଚାଲିଥିବା ୬ ଦିନିଆ ଦ୍ଵାଦଶ ପଟିଦିଅଁ ଅଙ୍କନ ଉତ୍ସବର ଦ୍ୱିତୀୟ ଦିବସ ଉତ୍ସାହ ଓ ଭକ୍ତିର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଚିତ୍ରକରମାନେ ୮ଟି ଜଗନ୍ନାଥ ମନ୍ଦିର ପାଇଁ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଏବଂ ମା ଭୁବନେଶ୍ଵରୀଙ୍କ ପଟିଚିତ୍ରରେ ରଙ୍ଗ ଲଗାଇଥିଲେ। ସନ୍ଧ୍ୟାରେ ଆୟୋଜିତ ସଭାରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସାସଙ୍ଗ ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ପ୍ରଭାସ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତିରେ ଚିତ୍ରକରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଶିଳ୍ପୀ କେଶୁ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ବୀକୃତିପ୍ରାପ୍ତ ଚିତ୍ରକର ଅରୁଣ ବାରିକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଚିତ୍ରକର ଦେବାଶିଷ ପତି ଧନ୍ଯବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଓଡ଼ିଶୀ ନୃତ୍ୟଶିଳ୍ପୀ ଅମ୍ରିତା ବେହେରା ଓ ଦିବ୍ୟାଂଶି ଆଚାର୍ଯ୍ୟ ଜଗନ୍ନାଥଙ୍କୁ ସମର୍ପିତ ନୃତ୍ୟ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ରଶ୍ମିରେଖା ମହାପାତ୍ର, ନନ୍ଦିନୀ ନାୟକ, ନିତିଶ୍ରୀ ମହାନ୍ତି, ଏକାଦଶୀ ବର୍ମନ ଓ ହୀରାଲାଲ ପାକଳ ଜଗନ୍ନାଥ ଜଣାଣ ଗାନ କରିଥିଲେ। ଡାକ୍ତର ରଜନୀ କାନ୍ତ ନାୟକଙ୍କ ମାଉଥ ଅର୍ଗାନ ବାଦନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ତୃତୀୟ ଦିବସର ସନ୍ଧ୍ୟାରେ କେନ୍ଦୁଝର ଆନନ୍ଦପୁରର ସା ନି ଧା ପା ଶାସ୍ତ୍ରୀୟ ଆସରର ବିଶିଷ୍ଟ ଶିଳ୍ପୀମାନେ ଜଗନ୍ନାଥଙ୍କ ପ୍ରିୟ ଗୀତ ଗୋବିନ୍ଦ ସହ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.