୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା: ପୂର୍ତ୍ତ ବିଭାଗର ନୀରବଦ୍ରଷ୍ଟା ନେଇ ବଢିବାରେ ଲାଗିଛି ଜନ ଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣାରୁ ରାୟଗଡ଼ା ୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା। ବିଶେଷ କରି କଦଳି ଘାଟିରୁ କିଡିଙ୍ଗ ପର୍ଯ୍ୟନ୍ତ ଦୀର୍ଘ ଦୁଇ ବର୍ଷ ହେଲା ନିର୍ମାଣ ଚାଲିଛି, ସରିପାରୁନି, କଦଳି ଘାଟିରୁ କିଡିଙ୍ଗ ପର୍ଯ୍ୟନ୍ତ ଚାରି ଲେନ ରାସ୍ତା ଡିଜାଇନିଂ ରାସ୍ତାର ଗୋଟିଏ ପଟେ ପିଚୁ କରି ଛାଡିଦିଆଯାଇଛି।ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇଥିବାବେଳେ ରାସ୍ତାରେ ଧୂଳି ଉଡି ଦିନ ତମାମ କୁହୁଡିର ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତା ଦେଇ ଯାତାୟତ କରୁଥିବା ବାଇକ ଆରୋହୀ, ସାଇକେଲ ଆରୋହୀ ଓ ପଥଚାରୀମାନେ ଅନେକ ହଇରାଣ ହେଉଥିବାବେଳେ ଆଲର୍ଜି, ଶ୍ୱାସ, କାଶ, ଟିବି, ଫୁସଫୁସ ସଂକ୍ରମଣ ଭଳି ରୋଗରେ ପଡୁଛନ୍ତି। ସେହିପରି ରାସ୍ତା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଆଶଙ୍କା ଶତ ପ୍ରତିଶତ ବଢିଯାଇଛି।ବର୍ତ୍ତମାନ ରାସ୍ତାର ଗୋଟିଏ ପଟ ପିଚୁ ହୋଇଥିବା ବେଳେ ଅନ୍ୟ ପଟ ଦୁଇ ଫୁଟ ଗର୍ତ୍ତ ରହୁଛି।ରାସ୍ତା ସାରା ବହୁ ସଂଖ୍ୟାରେ ଖାଲଖମା ଭର୍ତ୍ତି ହୋଇଥିବାବେଳେ ଏଥିରେ ନାମକୁ ମାତ୍ର କ୍ରସରଗୁଣ୍ଡ ପକାଇ ଦାୟିତ୍ୱ ସାରିଦେଉଛି ପୂର୍ତ୍ତ ବିଭାଗ।ଏପରିକି ଭୁଲ ରାସ୍ତା ଡିଜାଇନିଂ ଯୋଗୁଁ କିଡିଙ୍ଗ ନିକଟସ୍ଥ ବେହେରା ପୋଲ ବୁଲାଣିରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ପୋଲର ପାର୍ଶ୍ଵରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା।ଏହାକୁ ନେଇ ଲୋକଙ୍କ ଅଭିଯୋଗ ଓ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଗର୍ତ୍ତ ପୋତି ଦେଇ ପୋଲକୁ ଓସାରିଆ କରାଯାଇଛି।କିନ୍ତୁ କାମ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। କାଉଗୁଡା- ସିକେରକୁପା ପୋଲ,ଢେପଗୁଡ଼ା ଭିତରେ ଥିବା ଏକ ସଂକୀର୍ଣ୍ଣ ପୋଲ ପ୍ରତି ମୁହୂର୍ତ୍ତରେ ବିପଦକୁ ଆମନ୍ତ୍ରଣ କରୁଛି।ତେବେ କଳାହାଣ୍ଡି ଜିଲ୍ଲ ପୂର୍ତ୍ତ ବିଭାଗର ଉପରିସ୍ଥ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀକୁ ସ୍ଥାନୀୟ ଜନସାଧାରଣ ଏସବୁ ପ୍ରତି ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଦୌ ଦୃଷ୍ଟିପାତ କରୁନାହିଁ।ତେଣୁ କଦଳିଘାଟିରୁ କିଡିଙ୍ଗ ଛକ ପର୍ଯ୍ୟନ୍ତ ଚାର ଲେନ ରାସ୍ତା ମରାମତି କରିବା, ସଂକୀର୍ଣ୍ଣ ଓ ବିପଦସଂକୁଳ ପୋଲଗୁଡିକ ବଦଳରେ ନୂତନ ପୋଲ ନିର୍ମାଣ କରିବା,ରାସ୍ତାକୁ କୌଣସି ଦାୟିତ୍ୱବାନ ସଂସ୍ଥାକୁ ହସ୍ତାନ୍ତର କରି ଉନ୍ନତିକରଣ କରିବା ପାଇଁ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.