ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଅଞ୍ଚଳବାସୀଙ୍କ ଦିର୍ଘ ବର୍ଷର ଦାବିପରେ ବହୁମୂଖୀ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ବାମ କେନାଲ ରାସ୍ତା ଗତ କିଛି ମାସ ତଲେ ପିଚୁ କାମ କରାଯାଇଥିଲା। ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁଁ ନିର୍ମାଣର କିଛି ମାସ ମଧ୍ୟରେ ରାସ୍ତାର ପିଚୁ ଉଠି ଯାଇଥିବାବେଳେ ଏକାଧିକ ସ୍ଥାନରେ ରାସ୍ତା ଫାଟି ଆଁ କଲାଣି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁସାରେ, ଜଳ ସମ୍ପଦ ବିଭାଗ ଉପର ଇନ୍ଦ୍ରାବତୀ ବାମ କେନାଲ ବିଭାଜନ ପକ୍ଷରୁ ମଙ୍ଗଳପୁର ଠାରୁ ପ୍ରାୟ ୫୧ କିଲୋମିଟର କୋନାଲ ରାସ୍ତା ପାଇଁ ଏକ ନିର୍ଦ୍ଦିଷ୍ଟ କମ୍ପାନୀ ଟେଣ୍ଡର ପାଇ କାର୍ଯ୍ୟ ହାତକୁ ନେଇଥିଲା। ଜୟପାଟଣା ବ୍ଲକର ମଙ୍ଗଳପୁର ଡ୍ୟାମଠାରୁ ବାଞ୍ଜିବାହାଲ, ପ୍ରରତାପୁର, ସର୍ଗିଗୁଡା, ଭଇଁରିପାଳି, ବିମଳା, ମୋହନଗୁଡା, କୋକସରା ବ୍ଳକର କନ୍ଦାବୁଟୁରା, କାଶିବାହଲ, କୁସୁମଖୁଣ୍ଟି ଓ ଧର୍ମଗଡ଼ ବ୍ଳକର ପୋଡବେଡା, ତରାପୁର, ନନ୍ଦିଗାଁ, ବୋଡେନ, କାଶିବାହଲ, ଧର୍ମଗଡ଼, ଖଇରପଦର କେନାଲ ଶେଷ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇଥିବା ଜଣାପଡିଛି। ତେବେ ପୋଡବେଡାଠାରୁ କୁସୁମଖୁଣ୍ଟି, ବାଟିଗୁଡା, ଜଳତାମୁଣ୍ଡା, ଚିଲଡଙ୍ଗରୀ, କାଶିବାହାଲ ପର୍ଯ୍ୟନ୍ତ ରାସ୍ତାରେ କିଛି ମାସ ତଲେ ପିଚୁ ପଡ଼ିଛି। ତେବେ ଅତ୍ୟଧିକ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହି ରାସ୍ତାର କାଶିବାହାଲ ନିକଟରେ ଏବଂ ଏକାଧିକ ସ୍ଥାନରେ ପିଚୁ ଉଠି ଯାଇଥିବାବେଳେ ଅନେକ ସ୍ଥାନରେ ରାସ୍ତା ଫାଟି ଆଁ କଲାଣି। ଏମିତିକି କିଛି ସ୍ଥାନରେ ରାସ୍ତା ଦବି ଯାଇଛି ଓ ରାସ୍ତା ପାର୍ଶ୍ବରେ ମାଟି ଧସିବାରେ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଲା ଟେଣ୍ଡର ପାଇଥିବା ମୂଳ ଠିକାସଂସ୍ଥା ଏହି କାମକୁ କରି ନଥିବାବେଳେ ପ୍ରତି ୩.କିମି ରାସ୍ତାକୁ ଜଣେ ଲେଖାଏଁ ଛାୟା ଠିକାଦାର ନିଯୁକ୍ତ କରିଥିବା ଅଞ୍ଚଳରେ ଆଲୋଚନା ହେଉଛି। ତେବେ ଏହି ଛାୟା ଠିକାଦାର ମାନେ ଅଧିକ ଲାଭ ଆଶା ରଖି ରାସ୍ତା କାମକୁ ଅତି ନିମ୍ନମାନର କରିଥିବାରୁ କାମ ହେବାର କିଛି ମାସ ମଧ୍ୟରେ ରାସ୍ତାର ଏଭଲି ଦୁର୍ଦ୍ଦଶା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଦୀର୍ଘ ବର୍ଷର ବ୍ୟବଧାନ ପରେ ବାମ କେନାଲ ଉପରେ ଚକାଚକ ରାସ୍ତା ଦେଖି ଅଞ୍ଚଳର ଚାଷୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। ହେଲେ ଏବେ ତାହା ନିରାଶ ଆଡ଼କୁ ଗତି କରୁଛି। କାହିଁକି ନାଁ ରାସ୍ତା କାମ ନିମ୍ନମାନର ହେତୁ ପିଚୁ ଉଠିଯିବାରେ ଲାଗିଲାଣି। ଯାହା ସମ୍ପୃକ୍ତ ବିଭାଗର କାର୍ଯ୍ୟ ଦାୟିତ୍ଵ ଉପରେ ପ୍ରଶ୍ନ ଉଠିଥିବାବେଳେ ଠିକାସଂସ୍ଥା ଓ ବିଭାଗର ମଧୁଚନ୍ଦ୍ରିକାରେ ଚାଲିଥିବା ଜଳ ଜଳ ହୋଇ ଦିଶୁଛି। ତେଣୁ ଏହି ରାସ୍ତାରେ ଅନେକ ଦୁର୍ନୀତି ହୋଇଥିବା ସହଯରେ ଅନୁମାନ ହୋଇଥିବାବେଳେ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ଉଠିଛି। ଏନେଇ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ପ୍ରଣୟ କୁମାର ପ୍ରଧାନଙ୍କୁ ପଚାରିବାରୁ କାର୍ଯ୍ୟସମାପନ କରିଥିବା ସଂସ୍ଥା କୁ କୁହାଯାଇଛି ଶୀଘ୍ର ମରାମତି କରିବାପାଇଁ ବୋଲି କହିଛନ୍ତି।





