ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ନୋସି କଲଚରାଲ ଏକାଡେମୀ ଓ ବାଲେଶ୍ୱରୀ କଳା କେନ୍ଦ୍ରର ମିଳିତ ସହଯୋଗରେ ବାମପଦାସ୍ଥିତ ନୋସି ଉତ୍କଳା ପରିସରରେ ଆୟୋଜିତ ୬ଦିନିଆ ୧୨ତମ ପଟିଦିଅଁ ଅଙ୍କନ ଉତ୍ସବ ଭକ୍ତିମୟ ପରିବେଶରେ ଉଦ୍ଯାପିତ ହୋଇଯାଇଛି। ଉତ୍ସବର ଅନ୍ତିମ ଦିବସରେ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଏବଂ ମା’ ଭୁବନେଶ୍ୱରୀଙ୍କ ପଟିଦିଅଁ ବିଧିବଦ୍ଧ ଭାବେ ଆଠଟି ଜଗନ୍ନାଥ ମନ୍ଦିରକୁ ବିଜେ କରାଯାଇଥିଲା। ନୀଳଗିରି, ଶାସଙ୍ଗ, ଜୟଦେବ କସବା, ଗଣେଶ୍ୱରପୁର, ମଧୀପୁର, ବେତନଟି, ଛଣପୁର ଏବଂ ଦୁବଲାଗଡ଼ି ଜଗନ୍ନାଥ ମନ୍ଦିରରୁ ପଣ୍ଡା-ପୂଜକ ଓ ମନ୍ଦିର କର୍ମକର୍ତ୍ତାମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧାରଣ କରି ତୁରୀ, ଭେରି, ଘଣ୍ଟ, ଖୋଳ, କରତାଳ ଓ ଶଙ୍ଖଧ୍ୱନି ସହ ନାମସଂକୀର୍ତ୍ତନ କରି ସନ୍ଧ୍ୟା ପ୍ରାୟ ୬ଟାରେ ପଟିଦିଅଁ ଅଙ୍କନ ସ୍ଥଳରେ ପହଞ୍ଚିଥିଲେ।
ଅପରାହ୍ଣ ୪ଟାରେ ଶିଳ୍ପୀ କେଶୁ ଦାସ, ଅରୁଣ ବାରିକ, ଦେବାଶିଷ ପତି, ରୂପକ ଦାସ, ଗଦାଧର ମହାନ୍ତି, ପପୁନ ପ୍ରଧାନ, ପ୍ରଦୀପ ବାଡ଼ି, ଶୁଭମ୍ ରାଉତ, ସମୀର ବେହେରା ଏବଂ ବୀରେନ ଦାସଙ୍କ ସମେତ ସମସ୍ତ ଚିତ୍ରକର ପଟିଦିଅଁଙ୍କ ନିକଟରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। “ଜୟ ଜଗନ୍ନାଥ” ଓ “ଜୟ ପଟିଦିଅଁ” ଧ୍ୱନି ସହ ସମଗ୍ର ପରିସର ଭକ୍ତିମୟ ପରିବେଶରେ ପ୍ରକମ୍ପିତ ହୋଇଉଠିଥିଲା। ଚାନ୍ଦିପୁର ପିକ୍ସଆଇର ନିର୍ଦ୍ଦେଶକ ଡ. ସୁବୋଧ କୁମାର ନାୟକଙ୍କ ସମେତ ସଂସ୍ଥାର କର୍ମଚାରୀ, ନୋସି କଲଚରାଲ ଏକାଡେମୀର କର୍ମକର୍ତ୍ତା ଏବଂ ବହୁ ଜଗନ୍ନାଥପ୍ରେମୀ ଏହି ଦିବ୍ୟ ଓ ଆକର୍ଷଣୀୟ ପଟିଦିଅଁ ବିଜେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଏହି ଅବସରରେ ଜଉକଣ୍ଢେଇ କଳା କ୍ଷେତ୍ରରେ ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ସମୀର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବକୁ ସଫଳ ଓ ସରସ ସୁନ୍ଦର କରିବାରେ ପ୍ରଶାନ୍ତ ବେହେରା, ରାଘବ ବିଶ୍ୱାଳ, ଶୁଭ୍ରାଂଶୁ ଶେଖର ସାହୁ, ଶଶାଙ୍କ ଶେଖର ସାହୁ ଓ ସୁନାରାମ ସିଂହ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।





