ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବାରବନ୍ଧା ଗ୍ରାମ ପଞ୍ଚାୟତର ଡ୍ରାଇଭର ବବୃବାହନ ବାଗ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେ ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ଗତ ୨୮/୬ ରେ କିଛି କାମ ନେଇ ଭୁବନେଶ୍ୱର ଯାଇଥିଲେ। ସେଠାରେ ସମସ୍ତେ ମିଶିକି ରହିଥିଲେ। ୨୯/୭ ଘରକୁ ଫେରୁଥିବା ସମୟରେ ଭୁବନେଶ୍ୱର ର ଅନତି ଦୂରରେ କାର ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଡ୍ରାଇଭର ବବୃବାହନ ବାଗ ମୃତ୍ୟୁ ବରଣ କରିଛନ୍ତି। କାରଟିର ବାମପଟ ଭାଙ୍ଗି ଯାଇଥିବା ବେଳେ ଡ୍ରାଇବରଙ୍କ ମୁଣ୍ଡରେ ଅନେକ ସ୍ଥାନରେ ଗଭୀର କ୍ଷତ ଦେଖିବାକୁ ମିଳୁଛି। ହେଲେଏଥିରେ ଅନ୍ୟ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଖବରପାଇ କେପିଟାଲ ଥାନା ପୋଲିସ ଆସି ତଦନ୍ତ କରିବା ସହ ଶବ ଓ କାର ନଂ-ଓଡି ୦୮ ଏମ ୦୫୫୭ କୁ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ କେପିଟାଲ ହସପିଟାଲକୁ ନିଆଯାଇଥିଲା। ୧/୭ ରେ ଶବ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର କରିଥିଲେ ଡାକ୍ତରଖାନା କତ୍ତୃପକ୍ଷ। ଗୁରୁବାର ଗାଁରେ ଶବ ପହଞ୍ଚିବା ପରେ ବବୃବାହନଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ମ.ରାମପୁର ଥାନାରେ ଅଭିଯୋଗ କରିଥିଲେ ତାଙ୍କ ସ୍ତ୍ରୀ ନଳିନୀ ବାଗ। ବବୃ ସାଙ୍ଗହୋଇ ଯାଇଥିବା ବ୍ୟକ୍ତି ବାରବନ୍ଧା ଗ୍ରାମ ପଞ୍ଚାୟତ ବେଲଗାଁର ସନ୍ତୋଷ ମହାନନ୍ଦ, ନର୍ଲା ବ୍ଲକ ଅଧିନସ୍ଥ ବାଗପୁର ଗ୍ରାମ ପଞ୍ଚାୟତର ଗଜୀନ ନାଏକ, ଏମ ରାମପୁର ବ୍ଲକ ନୁନପୁର ଗ୍ରାମ ପଞ୍ଚାୟତର ମାଣିଙ୍ଗଲିଲା ଗ୍ରାମର ବସନ୍ତ ନାଏକ ଓ ନର୍ଲା ବ୍ଲକ ଅଧିନସ୍ଥ ବାଗପୁର ଗ୍ରାମର ଗୋପାଳ ହାତୀଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିବା ସହ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଏମ ରାମପୁର ଅତିରିକ୍ତ ତହସିଲଦାର, ଏମ ରାମପୁର ପୋଲିସ ଇନ୍ସପେକ୍ଟର ବି ଅଭିମନ୍ୟୁ ରାଓ, ସିଡ୍ୟୁଲ କାଷ୍ଟ ଫେଡେରେସନର ଜିଲ୍ଲା ସଭାପତି ବୃନ୍ଦାବନ ନାଗ, ସମାଜସେବୀ ସାମ୍ବାଦିକ ଅଭିରାମ ନନ୍ଦ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ପରିବାର ବର୍ଗ ଓ ଜନସାଧାରଣଙ୍କୁ ବୁଝାସୁଝା କରି ଶବ ସତ୍କାର କରାଇଥିଲେ। ଅତିରିକ୍ତ ତହସିଲଦାର ରେଡକ୍ରସ ଫଣ୍ଡରୁ ୧୦,୦୦୦ ଟଙ୍କା ଓ ବାରବନ୍ଧା ଗ୍ରାମ ପଞ୍ଚାୟତ ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉଗ୍ରେସନ ଗଉଡ ହରିଶ୍ଚନ୍ଦ୍ର ଯୋଜନାରେ ୨,୦୦୦ ଟଙ୍କା ମୃତକଙ୍କ ପରିବାରକୁ ପ୍ରଦାନ କରିଥିଲେ। ଏବେ ତାଙ୍କ ସ୍ତ୍ରୀ ଅଡି ବସିଛନ୍ତି ଏହାର ଉପଯୁକ୍ତ ତଦନ୍ତ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ମେତେ ନ୍ୟାୟ ପ୍ରଦାନ କରୁ ବୋଲି।





