ମାଣିକେରା ଠାରେ ପାଣିପାଗ କେନ୍ଦ୍ରର ଶୁଭ ଉଦଘାଟନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏସ.ବି.ଆଇ. ଫାଉଣ୍ଡେସନର ସହାୟତା ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମହାଶକ୍ତି ଫାଉଣ୍ଡେସନର ତତ୍ତ୍ୱାବଧାନରେ ଆଜି କଳାହାଣ୍ଡି ଜିଲ୍ଲା
ମ.ରାମପୁର ବ୍ଲକ ଅନ୍ତର୍ଗତ ମାଣିକେରା ଗ୍ରାମ ଠାରେ ଏକ ସ୍ୱୟଂ ଚାଳିତ ପାଣିପାଗ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଣିକେରା ଗ୍ରାମ ପଞ୍ଚାୟତର ସରପଞ୍ଚ ଫଗନୁ ପାତ୍ର ଫିତା କାଟି ସ୍ବୟଂ ଚାଳିତ ପାଣିପାଗ କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ। ମହାଶକ୍ତି ଫାଉଣ୍ଡେସନ ର ବ୍ଲକ ସଂଯୋଜିକା ଶ୍ୱେତା ଷଢଙ୍ଗୀ ଏହି ସ୍ବୟଂ ଚାଳିତ ପାଣିପାଗ କେନ୍ଦ୍ର ଚାଷୀ ମାନଙ୍କ କୃଷି କାର୍ଯ୍ୟକୁ ଆହୁରି ସୁରକ୍ଷିତ ଓ ଲାଭଦାୟକ କରିବା ସହିତ ଶ୍ରମିକ, ଶିକ୍ଷାର୍ଥୀ ତଥା ଗ୍ରାମବାସୀ ମାନଙ୍କୁ ସତର୍କ ସୂଚନା ପ୍ରଦାନ କରିପାରିବ ବୋଲି ପ୍ରକାଶ କରିଥିଲେ। ଏହା ୧୫ କିଲୋମିଟର ରେଞ୍ଜର ତାପମାତ୍ରା, ବାୟୁର ଆର୍ଦ୍ରତା, ବୃଷ୍ଟିପାତର ପରିମାଣ, ପବନର ବେଗ ଓ ଦିଗ, ସୌର ବିକିରଣ, ବାୟୁମଣ୍ଡଳୀୟ ଚାପ, ଅତିବାଇଗଣି ରଶ୍ମୀ ସୂଚକାଙ୍କ, କାକର ବିନ୍ଦୁ ଇତ୍ୟାଦି ପାଣିପାଗ ସମ୍ୱନ୍ଧୀୟ ସୂଚନା ତ‌ଥା ୨୪ ଘଣ୍ଟିଆ ପୂର୍ବାନୁମାନର ସଠିକ ସୂଚନା ପ୍ରଦାନ କରିବାରେ ସକ୍ଷମ ଅଟେ। ପ୍ରତି ଗ୍ରାମରେ କିଛି ଯୁବକ (ପରିବେଶ ମିତ୍ର) ଏବଂ ଅଗ୍ରଣୀ ଚାଷୀଙ୍କୁ ନେଇ ହ୍ୱାଟସଆପ ଗୃପ ଗଠନ କରାଯାଇଛି। ପ୍ରତିଦିନ ସେହି ଗୃପକୁ ପାଣିପାଗ ସୂଚନା ପ୍ରଦାନ କରାଯିବା ସହିତ ଗ୍ରାମରେ ଏକ ପାଣିପାଗ ସୂଚନା କାନ୍ଥ ତିଆରି କରି ସେଠାରେ ଏହି ସବୁ ସୂଚନା ଏବଂ କିଛି କୃଷି ଉପଦେଶ ଉଲ୍ଲେଖ କରାଯିବାର ବ୍ୟବସ୍ଥା କାରାଯାଇଛି। ଏହି ଉଦଘାଟନୀ ସମାରୋହରେ ମଣିକେରା, ମୋହନଗିରି, ପାଜିକେରୀ, ଅରଶକୁପା, ପିପଲପଡା ଆଦି ଗ୍ରାମରୁ ପରିବେଶ ମିତ୍ର, ଅଗ୍ରଣୀ ଚାଷୀ, ସ୍ବୟଂ ସହାୟକ ଦଳର ସଭ୍ୟା ତଥା ଗ୍ରାମବାସୀମାନେ ଯୋଗ ଦେଇଥିଲେ। ମହାଶକ୍ତି ଫାଉଣ୍ଡେସନର ପ୍ରକଳ୍ପ ସଂଯୋଜକ ସୀମାଞ୍ଚଳ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହିମାଂଶୁ ବେହେରା, ଭାରତୀ ଶର୍ମା, ସୈରେନ୍ଦ୍ରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ‌ଯୋଗ କରିଥିଲେ। ମାଣିକେରାରେ ସ୍ବୟଂ ଚାଳିତ ପାଣିପାଗ କେନ୍ଦ୍ର ସ୍ଥାପନ କରିଥିବା ଯୋଗୁଁ ସରପଞ୍ଚ ଫଗନୁ ପାତ୍ର ଏସ.ବି.ଆଇ. ଫାଉଣ୍ଡେସନ ଏବଂ ମହାଶକ୍ତି ଫାଉଣ୍ଡେସନକୁ ପ୍ରଶଂସା କରିବା ସହିତ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.