ଲାଞ୍ଜିଗଡ଼ ବ୍ଲକ ପରିସରେ ବିଶୁଦ୍ଧ ପିଇବା ପାଣି ବ୍ୟବସ୍ଥା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପରିସରକୁ ଆସୁଥିବା ଲୋକଙ୍କ ବହୁ ଦିନର ଦାବି ପୂରଣ ହୋଇଛି। ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କ ବ୍ୟକ୍ତିଗତ ଉଦ୍ୟମ ଓ ପ୍ରଶାସନିକ ତତ୍ପରତା ଯୋଗୁଁ ଲାଞ୍ଜିଗଡ଼ ବ୍ଲକ ପରିସରରେ ଅତ୍ୟାଧୁନିକ ବିଶୁଦ୍ଧ ପିଇବା ପାଣି ବ୍ୟବସ୍ଥା ଆରମ୍ଭ ହୋଇଛି। ବ୍ଲକ କର୍ମଚାରୀ ତଥା ବ୍ଲକ ଅଫିସକୁ ବିଭିନ୍ନ ଯୋଜନାର କାମ ପାଇଁ ଆସୁଥିବା ଗ୍ରାମବାସୀ, ହିତାଧିକାରୀ, ବୃଦ୍ଧ, ବୃଦ୍ଧା ଓ ମହିଳାମାନେ ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ପରିସର ମଧ୍ୟରେ କୌଣସି ସୁବ୍ୟବସ୍ଥିତ ଜଳ ଯୋଗାଣ ନଥିବାରୁ ଲୋକେ ବାହାରକୁ ଯାଇ ପାଣି ଆଣିବାକୁ ବାଧ୍ୟ ହେଉଥିଲେ। ବିଶେଷ କରି ଗରମ ଦିନେ ଏହା ଏକ ବଡ଼ ସମସ୍ୟା ହୋଇଥିଲା। ଏହି ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରି ବିଡ଼ିଓ ଶ୍ରୀ ପାତ୍ର ତୁରନ୍ତ ପଦକ୍ଷେପ ନେଇଥିଲେ। ତାଙ୍କ ପ୍ରଚେଷ୍ଟାରେ ପରିସର ମଧ୍ୟରେ ଏକ ଆର୍ଓ ସହିତ ବିଶୁଦ୍ଧ ପାଣି ଫିଲ୍ଟର ମେସିନ୍ ସ୍ଥାପନ କରାଯାଇଛି।
ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ପରଠାରୁ ପ୍ରତିଦିନ ବ୍ଲକକୁ ଆସୁଥିବା ଶହ ଶହ ସାଧାରଣ ଜନତା, ସମସ୍ତ ବିଭାଗର କର୍ମଚାରୀ ଏବଂ ମନରେଗା, ଆବାସ, ପେନସନ ଆଦି ବିଭିନ୍ନ ଯୋଜନାର ହିତାଧିକାରୀମାନେ ପ୍ରତ୍ୟକ୍ଷ ଭାବେ ଲାଭବାନ ହୋଇଛନ୍ତି। ବର୍ତ୍ତମାନ ସେମାନେ ବିନା କଷ୍ଟରେ ଥଣ୍ଡା ଓ ବିଶୁଦ୍ଧ ପାଣି ପାଇପାରୁଛନ୍ତି। ଜଳବାହିତ ରୋଗର ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଏକ ବରଦାନ ସାବ୍ୟସ୍ତ ହୋଇଛି। ବିଶୁଦ୍ଧ ପାଣି ପିଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିବା ସହ କର୍ମଚାରୀମାନେ ମଧ୍ୟ ଅଧିକ ସୁସ୍ଥ ଭାବେ କାମ କରିପାରିବେ ବୋଲି ବିଡ଼ିଓ କହିଛନ୍ତି। ଏହି ପଦକ୍ଷେପକୁ ନେଇ ବ୍ଲକକୁ ଆସିଥିବା ଜନସାଧାରଣ ଆମେ ଦୂର ଗାଁରୁ ଆସୁ। ପୂର୍ବରୁ ପାଣି ପାଇଁ ବହୁତ କଷ୍ଟ ହେଉଥିଲା। ଏବେ ବିଡ଼ିଓ ସାର୍ ପାଣି ବ୍ୟବସ୍ଥା କରିଦେଲେ, ଆମେ ବହୁତ ଖୁସି”। ସମସ୍ତେ ଏହି ଜନହିତକର କାର୍ଯ୍ୟ ପାଇଁ ବିଡ଼ିଓ ଶ୍ରୀ ପାତ୍ରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛୁ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.