ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଗ୍ରାଫ୍ ନିମ୍ନଗାମୀ: UDISE+ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ସମାଜବାଦୀ ପାର୍ଟିର କଡ଼ା ସମାଲୋଚନା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଦେଶର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସାମ୍ପ୍ରତିକ UDISE+ ରିପୋର୍ଟ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ପ୍ରକୃତ ଚିତ୍ର ଏବଂ ସରକାରୀ ଦାବିର ପୋଲ୍ ଖୋଲି ଦେଇଛି। ରାଜ୍ୟରେ ଶିକ୍ଷକ ଏବଂ ବିଦ୍ୟାଳୟଗୁଡ଼ିକର ସ୍ଥିତି ଅତ୍ୟନ୍ତ ଉଦବେଗଜନକ ହୋଇପଡ଼ିଥିବା ବେଳେ ରାଜ୍ୟ ସରକାର ଏ ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସମାଜବାଦୀ ପାର୍ଟି, ଓଡ଼ିଶା ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ଶିବ ହାତୀ ଯାଦବ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସଦ୍ୟତମ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଏବେ ମଧ୍ୟ ବହୁ ବିଦ୍ୟାଳୟ କେବଳ ଏକକ-ଶିକ୍ଷକ (Single-Teacher)ଦ୍ୱାରା ପରିଚାଳିତ ହେଉଛି। ରାଜ୍ୟରେ ଏପରି ୧,୪୫୮ଟି ସ୍କୁଲ ରହିଛି, ଯାହା ଗତ ବର୍ଷ ଅପେକ୍ଷା ୩୪ ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବ ବର୍ଷ ୨୦୨୫-୨୬ ତୁଳନାରେ ୩୬୯ଟି ନୂଆ ସ୍କୁଲ ଏହି ତାଲିକାରେ ଯୋଡ଼ି ହୋଇଥିବା ପରିସଂଖ୍ୟାନ ସରକାରଙ୍କ ଅଦୂରଦର୍ଶିତାକୁ ପ୍ରମାଣିତ କରୁଛି।

ଏହି ଏକକ-ଶିକ୍ଷକ ବିଦ୍ୟାଳୟଗୁଡ଼ିକ ମୁଖ୍ୟତଃ ଦୂରଦୂରାନ୍ତ, ଆଦିବାସୀ ଏବଂ ଜନବସତି କମ୍ ଥିବା ଅଞ୍ଚଳରେ ରହିଛି, ଯେଉଁଥିପାଇଁ ପ୍ରାୟ ୬୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ କେବଳ ଜଣେ ଶିକ୍ଷକଙ୍କ ଭରସାରେ ଭବିଷ୍ୟତ ଗଢ଼ୁଛନ୍ତି। ଆଶ୍ଚର୍ଯ୍ୟର କଥା ଯେ, ସେହି ଏକକ ଶିକ୍ଷକମାନେ କେବଳ ପାଠ ପଢ଼ାଇବା ନୁହେଁ, ବରଂ ଜନଗଣନା, ନିର୍ବାଚନ ଦାୟିତ୍ୱ ଏବଂ ବିପର୍ଯ୍ୟୟ ମୁକାବିଲା ଭଳି ଅଣ-ଶୈକ୍ଷିକ କାର୍ଯ୍ୟରେ ମଧ୍ୟ ନିୟୋଜିତ ହେଉଛନ୍ତି। ଫଳରେ, କଅଁଳା ମହୁଲ ଭଳି ଏହିସବୁ ଅଞ୍ଚଳର ପିଲାମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସେହିପରି ଡିଜିଟାଲ୍ ଶିକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ପ୍ରଚାର ଓ ପ୍ରସାର କେବଳ କାଗଜପତ୍ରରେ ସୀମିତ ବୋଲି ପୂର୍ବବର୍ଷର UDISE+ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଓଡ଼ିଶାରେ ମାତ୍ର ପ୍ରାୟ ୩୦ ପ୍ରତିଶତ ଶିକ୍ଷକ ହିଁ ଶିକ୍ଷାଦାନ ପାଇଁ କମ୍ପ୍ୟୁଟର ବ୍ୟବହାର କରିବାରେ ପ୍ରଶିକ୍ଷିତ ବା ଦକ୍ଷ ଅଟନ୍ତି, ଯାହା ଆଜିର ଡିଜିଟାଲ୍ ଯୁଗରେ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ଚ୍ୟାଲେଞ୍ଜ ଏବଂ ସରକାରଙ୍କ ବିଫଳତାର ଜ୍ୱଳନ୍ତ ଉଦାହରଣ। ଏଣୁ ସମାଜବାଦୀ ପାର୍ଟି, ଓଡ଼ିଶା ପକ୍ଷରୁ ଦାବି କରାଯାଉଛି ଯେ,ରାଜ୍ୟର ସମସ୍ତ ଏକକ-ଶିକ୍ଷକ (Single-Teacher) ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ଅତିଶୀଘ୍ର ଅତିରିକ୍ତ ଶିକ୍ଷକ ନିଯୁକ୍ତି କରାଯାଉ।ତତ୍ ସହିତ ଦୂରଦୂରାନ୍ତ ଏବଂ ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବ୍ୟବସ୍ଥା କରାଯାଉ ଏବଂ ଶିକ୍ଷାଦାନକୁ ପ୍ରାଥମିକତା ଦେଇ ଶିକ୍ଷକମାନଙ୍କୁ ଜନଗଣନା, ନିର୍ବାଚନ ଏବଂ ଅନ୍ୟାନ୍ୟ ଅଣ-ଶୈକ୍ଷିକ ସରକାରୀ କାମରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଉ।ରାଜ୍ୟର ସମସ୍ତ ଶିକ୍ଷକଙ୍କୁ ଆଧୁନିକ ଟେକ୍ନୋଲୋଜି ଏବଂ କମ୍ପ୍ୟୁଟର ବ୍ୟବହାରରେ ଦକ୍ଷ କରିବା ପାଇଁ ବ୍ୟାପକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉ। ରାଜ୍ୟ ସରକାର ଯଦି ଏହି ଗମ୍ଭୀର ସମସ୍ୟାର ସମାଧାନ ଦିଗରେ ତୁରନ୍ତ ଠୋସ୍ ପଦକ୍ଷେପ ନ ନିଅନ୍ତି, ତେବେ ସମାଜବାଦୀ ପାର୍ଟି ପକ୍ଷରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ସାଙ୍ଗରେ ନେଇ ରାଜ୍ୟବ୍ୟାପୀ ଜୋରଦାର ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ହାତୀ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.