ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (ଏସ ଆଇଆର) କାର୍ଯ୍ୟକ୍ରମକୁ ନେଇ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ସଚେତନତା ଓ ଜନଶୁଣାଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୋଟର ତାଲିକାରେ ନାମ ସଂଯୋଗ, ସଂଶୋଧନ ଓ ବିଲୋପ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ସେ ସମସ୍ତ ଯୋଗ୍ୟ ନାଗରିକଙ୍କୁ ନିଜ ଭୋଟର ପରିଚୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଯାଞ୍ଚ କରି ଆବଶ୍ୟକ ସଂଶୋଧନ କରିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସୁପରଭାଇଜର ଜଗଦିଶ ପୁଟା, ପାହାଡ଼ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ସମାଜସେବୀ ବୈଦନାଥ ନାଏକ, ଭିଏଲଓ ସୌଦାଗର ବାଗ, ହୀରାଲାଲ ବେହେରା, ଜୟଶଙ୍କର ନାଏକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦିତ୍ୟ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ସଚେତନତା ବୈଠକ ବୁଥ ନଂ ୧୨୦(ପାହାଡ଼ପଦର), ୧୨୨(ବୋରପଦର) ଏବଂ ୧୨୩ (ପୁଞ୍ଜାମ) ଅଞ୍ଚଳରେ ଆୟୋଜିତ ହୋଇଥିଲା। ସ୍ଥାନୀୟ ଜନସାଧାରଣ ଉତ୍ସାହର ସହ କାର୍ଯ୍ୟକ୍ରମରେ ଯୋଗଦେଇ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବିଭିନ୍ନ ବିଷୟରେ ମତାମତ ରଖିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।





