‘କାହିଁ ଛାଡିଯିବୁ ଜଗୁ ନିବାସ, ଆଣ୍ଟେ ଧରିଛି ବଳରାମ ଦାସ’

ଶ୍ରୀ ଜଗନ୍ନାଥ ସର୍ବବିଧ ବିସ୍ମୟର କେନ୍ଦ୍ରବିନ୍ଦୁ। ଜାତି, ଧର୍ମର ପ୍ରାଚୀର ଭାଙ୍ଗି, ବର୍ଣ୍ଣବିଦ୍ବେଷର ପ୍ରଥା ଲଙ୍ଘନ କରି ମାନବିକତା ବିହୀନ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ସେ ସାଜିଛନ୍ତି ପତିତପାବନ। ତାଙ୍କଠାରେ ସର୍ବଧର୍ମର ସମନ୍ବୟ ଘଟିଛି। ଭକ୍ତ ବତ୍ସଳ ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରକୃତରେ ଜଣେ ରହସ୍ୟମୟ ଦେବତା। ସେ ଭକ୍ତର ଭାବରେ ବନ୍ଧା। ଏମିତି ଜଣେ ଭକ୍ତ ବଳରାମ ଦାସ ତାଙ୍କୁ ନନ୍ଦିଘୋଷ ରଥ ଛାଡି ବାଲିରଥକୁ ଆସିବାକୁ ବିନତୀ କରିଥିଲେ। ଭକ୍ତର ମାନ ରକ୍ଷା କରିବାକୁ ବାଲି ରଥରେ ଆବିର୍ଭୁତ ହୋଇଥିଲେ ଜଗତର ସ୍ବାମୀ।  ଏକାନ୍ତ ଶ୍ରୀଜଗନ୍ନାଥ ଭକ୍ତ ହେଉଛନ୍ତି ବଳରାମ ଦାସ। ସେ ଜଣେ ସଂସାରୀ ମଣିଷ। କୁଟୁମ୍ବ ନେଇ ଏହି ସଂସାରରେ ସେ ଘର କରିଛନ୍ତି। ସେ ସାଧକ ମାତ୍ର ଲୋକଦେଖାଣିଆ ସାଧୁ ନୁହନ୍ତି। ମଠ ମନ୍ଦିରରେ ତାଙ୍କର ବାସ ନୁହେଁ। ଦାରାସୁତ ନେଇ ଘରେ ରୁହନ୍ତି। ଏହାସତ୍ତ୍ୱେ ବି ବଳରାମ ଦାସ କବି ଥିଲେ ଆଉ ରସିକ ମଧ୍ୟ ଥିଲେ। ସୁନ୍ଦରୀ ନାରୀର ମାୟାକୁ ସେ ଏଡ଼ାଇ ଦେଇ ପାରୁ ନଥିଲେ। ପୁରୀର ଜଣେ ବେଶ୍ୟା ସହିତ ଥିଲା ତାଙ୍କର ଅନ୍ତରଙ୍ଗ ସଂପୃକ୍ତି। ଅନୁମାନ କରାଯାଏ ଏହି ବେଶ୍ୟା ଜଣେ ସାଧାରଣ ବାରଙ୍ଗନା ନଥିଲେ, ଥିଲେ ଜଣେ ପରମ ସାଧିକା ତଥା ବଳରାମ ଦାସଙ୍କ ପ୍ରେରଣା ଦାୟିନୀ। ତାଙ୍କର ନାମ ଥିଲା ଚାରୁଲତା।

ସାଧକ ସାଧିକାଙ୍କ ସାନିଧ୍ୟ ଲାଭ ନକଲେ ସାଧନାରେ ସିଦ୍ଧିଲାଭ କରିହୁଏନା। ସେଥିପାଇଁ ତନ୍ତ୍ର ଜଗତରେ ଭୈରବୀ ଓ ଯୋଗିନୀ ମାନଙ୍କ ସ୍ଥାନ ସବୁଠାରୁ ମହତ୍ତ୍ଵପୂର୍ଣ୍ଣ। ବଳରାମ ଦାସ ଚାରୁଲତାଙ୍କ ରୂପ ଲାବଣ୍ୟରେ ମୁଗ୍ଧ ଥିଲେ। ତାଙ୍କର ରସପୁଷ୍ପଳ ରଚନାମାନଙ୍କରେ ଏହି ନାରୀର ରୂପଶ୍ରୀକୁ ସେ ଉପଲକ୍ଷ୍ୟ କରି ବର୍ଣ୍ଣନା କରୁଥିଲେ। କବି ରମ୍ଭା, ଉର୍ବଶୀ, ମେନକା ଓ କାମମୋହିନୀ ପ୍ରଭୁତିଙ୍କ ବର୍ଣ୍ଣନା କରିବାବେଳେ ଏହି ରୂପସୀ ବେଶ୍ୟାଙ୍କର ରୂପଶ୍ରୀକୁ ପ୍ରତିଫଳନ କରିଛନ୍ତି। ଏସବୁ ସତ୍ତ୍ୱେ ବଳରାମ ଦାସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆରଧନାରେ ତିଳେହେଲେ ହେଲା କରୁନଥିଲେ। ସେ ମନ୍ଦିରରେ ଥାଆନ୍ତୁ କି ଘରେ କିମ୍ବା ବେଶ୍ୟା ସହିତ ରଙ୍ଗରସରେ ମାତିଥାନ୍ତୁ, ସବୁଠାରେ ଶ୍ରୀଜଗନ୍ନାଥଙ୍କ ସାନିଧ୍ୟ ଲାଭ କରୁଥିଲେ। କବି ବଳରାମ ଦାସ ଅଧିକାଂଶ ସମୟ ବେଶ୍ୟା ଚାରୁଲତାଙ୍କ ଗୃହରେ କଟାଇ ଦେଉଥିଲେ। ନିଜେ ରଚନା କରିଥିବା କାବ୍ୟ କବିତାକୁ ଚାରୁଙ୍କୁ ଶୁଣାଉଥିଲେ ଓ ପରାମର୍ଶ ନେଇ ଆବଶ୍ୟକ ସ୍ଥଳେ ସଂଶୋଧନ କରୁଥିଲେ। କବି ବଳରାମ ଦାସ ସାଧୁସଙ୍ଗ ମଧ୍ୟ କରନ୍ତି, ସର୍ବଦା ଶ୍ରୀହରିଙ୍କ ନାମ ସଂକୀର୍ତ୍ତନ କରନ୍ତି। ସକଳ ଜୀବରେ ଅଶେଷ ଦୟା ମଧ୍ୟ।

ସେଦିନ ଥିଲା ଶ୍ରୀଗୁଣ୍ଡିଚା। ରଥ ଉପରକୁ ଠାକୁରମାନେ ଉଠିବାକୂ ଢେର ଡେରିଅଛି। କବି ବଳରାମ ଦାସ ଚାରୁଲତାଙ୍କୁ ଦେଖା କରିସାରି ମନ୍ଦିର ଯିବେ ବୋଲି ସ୍ଥିର କଲେ। ଚାରୁଲତା ସହିତ ଆମୋଦ ପ୍ରମୋଦରେ ମାତି ରଥଯାତ୍ରା କଥା ଭୁଲି ଯାଇଛନ୍ତି। ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଗଲାଣି। ରଥ ଚକର ଗୁରୁଗର୍ଜନ ତାଙ୍କର ତନ୍ଦ୍ରା ଭଙ୍ଗ କଲା। ସେ ଜଗନ୍ନାଥଙ୍କର ମନମୋହନ ରୂପ ଓ ପବିତ୍ର ରଥଯାତ୍ରାର ଜନସମାଗମ କଥା ସ୍ମରି ଉନ୍ମତ୍ତ ହୋଇ ଉଠିଲେ। ଶୁଚିଅଶୁଚି କଥା ଚିନ୍ତାକରି ପାରିଲେ ନାହିଁ। ବେଶ୍ୟା କବରୀରେ ଗୁନ୍ଥା ଯାଇଥିବା ରଜନୀଗନ୍ଧାର ଫୁଲ ମାଳଟିକୁ ଛିଣ୍ଡାଇ ଆଣି ପ୍ରଭୁଙ୍କ ଦର୍ଶନ ଆଶାରେ ବଡ଼ଦାଣ୍ଡକୁ ଦୌଡ଼ିଗଲେ।

ରଥ ଉପରେ ଚଢି ବେଶ୍ୟାଲାଗି ଫୁଲମାଳକୁ ପ୍ରଭୁଙ୍କୁ ଅର୍ପଣ କରିବାକୁ ଯାଉଛନ୍ତି, ପଣ୍ଡାମାନେ ବଳରାମଙ୍କୁ ଦେଖିନେଲେ। ବଳରାମ ଦାସଙ୍କ ମୁହଁରେ, ଦେହରେ ବେଶ୍ୟା ଦେହରୁ କଜ୍ଜଳ, ହଳଦୀ ଓ କସ୍ତୁରୀର ଦାଗ ସବୁ ଲାଗିଛି। ତାମ୍ବୁଳ, ସିନ୍ଦୂର, ଅଳତାର ଦାଗ ଦେହସାରା। ପଣ୍ଡାମାନେ ବଳରାମଙ୍କର ଚରିତ୍ର ବିଷୟରେ ସବୁକିଛି ଜାଣନ୍ତି। ମାତ୍ର ପ୍ରଭୁଙ୍କର ଭକ୍ତ ତଥା କବି ହୋଇଥିବା ଯୋଗୁଁ ସମସ୍ତେ ସମ୍ମାନ ଦିଅନ୍ତି। ସମସ୍ତେ ମଧ୍ୟ ବଳରାମ ଦାସଙ୍କୁ ଚିହ୍ନିଛନ୍ତି। ତାଙ୍କର ଜ୍ଞାନ ଗାରିମା ବିଷୟରେ ଜାଣନ୍ତି। ପଣ୍ଡାମାନଙ୍କ ପକ୍ଷେ ଆଜିର ଘଟଣା କିନ୍ତୁ ଅସହ୍ୟ ହେଲା। ସେମାନେ କବିଙ୍କୁ ଗାଳିଗୁଲଜ କରି ଗଳାଧକ୍କା ଦେଇ ରଥରୁ ବାହାର କରିଦେଲେ। ଆଉ କହିଲେ –

“ଗଣ୍ଡେ ତୋ ତାମ୍ବୁଳର ଗାର

କୁଙ୍କୁମ ଦେହେ ଜରଜର।

ଅତି କଦର୍ଯ୍ୟ ତୋର କାୟେ

ଦିଶୁଛି ଚିତ୍ର ଖଣ୍ଡ ପ୍ରାୟେ।।

ସ୍ନାନ ଶଉଚ ତୋର ନାହିଁ

ଥିଲୁ ତୁ ବେଶ୍ୟା ଘରେ ଶୋଇ।

କିମ୍ପା ଚଢିଲୁ ତୁ ରଥର

ଭକତ ପଣ ପୋଡୁ ତୋର।।

ବଳରାମ ଦାସ ଶକ୍ତ ଧକ୍କା ଖାଇ ଶରଧା ବାଲିରେ କିଛି ସମୟ ପଡି ରହିଲେ। ତାପରେ ଲୋକମାନଙ୍କର ଟାହିଟାପରା ଶୁଣି ଉଠି ଠିଆହେଲେ। ଅପମାନ ଓ ଅଭିମାନରେ ସେ ଜଳି ଯାଉଛନ୍ତି। ବେନି ନୟନରୁ ଧାର ଧାର ଲୋତକ ଝରିଯାଉଛି। କଳା ଶ୍ରୀମୁଖକୁ ଅନାଇଲେ, ତା’ ପରେ ହାତଯୋଡି କହିଲେ, ପ୍ରଭୁ! ମୁଁ କି ଅପରାଧ କଲି। ପୁଣି ପ୍ରଭୁଙ୍କୁ ପ୍ରଶ୍ନ କଲେ ବଳରାମ ଦାସ। ପ୍ରଭୁ! ତୁ ମୋର ପ୍ରାଣବନ୍ଧୁ ବୋଲି ଭାବି ତୋ ଛାମୁକୁ ଦଉଡି ଆସିଲି‌। କିନ୍ତୁ ତୁ ଇତର ଲୋକମାନଙ୍କ ଦ୍ବାରା ମୋତେ ଏତେ ଦଣ୍ଡ ଦିଆଇଲୁ। ଏବେ ତୋତେ ମୁଁ ଚିହ୍ନିଗଲି। ଏବେ ବଡ଼ଦାଣ୍ଡରୁ ବାହୁଡି ଯାଉଛି। ତୋ ରଥ ଦଉଡିକୁ କିଏ କେମିତି ଟାଣିବ ଟାଣୁ।

“ଯାତ୍ରା କେମନ୍ତେ କର ତୁହି

ତାହା ଦେଖଇ କିନା ମୁହିଁ।

ଭଲା କେ ଚାଳୁ ଏବେ ରଥ

ତୋ ବାପ ନନ୍ଦର ସପଥ।।”

ବଳରାମ ଦାସ କ୍ଷୋଭର ସହ ଜଗନ୍ନାଥଙ୍କୁ କହୁଛନ୍ତି – ମୁଁ ଯଦି ତୋର ପ୍ରକୃତ ସେବକ ହୋଇଥିବି। ତୁ ଯଦି ମୋର ପ୍ରାଣ ନାୟକ ହୋଇଥିବୁ, ତେବେ ମୋ ପଣ ରହିବ। ତୁ ଏହି ରଥରେ ବସିଥିବୁ, ତୋ ରଥ ଟିପେ ସୁଦ୍ଧା ଆଗକୁ ମାଡିଯିବ ନାହିଁ।

“ହରିହୋ, ନନ୍ଦିଘୋଷ ରଥୁଁ ଦେଲୁ ଘଉଡି

କେ ଟାଣିବ ତୋ ରଥ ଦଉଡି।

ନାଥ ତୁ ମୋତେ ନେଲେ ସିନା ଯିବୁ

ନୋହିଲେ ସେହିଠାରେ ରହିଥିବୁ।

ଧରିଛି ଚିତ୍ତେ ତୁ ଯିବୁ କେମନ୍ତେ

ଦାସ ବଳରାମ ଭରସି ତୋତେ।।” (ଭାବ ସମୁଦ୍ର)

ବଳରାମ ଦାସ ବଡ଼ଦାଣ୍ଡରୁ ଫେରିଆସି ସମୁଦ୍ର କୂଳରେ ପହଞ୍ଚିଲେ। ବାଙ୍କି ମୁହାଣ ନିକଟସ୍ଥ ଚକ୍ରତୀର୍ଥ ଠାରେ ଆସନ ପାରି ବସିଗଲେ। ବାଲି ଉପରେ ତିନି ରଥ ନିର୍ମାଣ କଲେ। ସେଠାରେ ଠାକୁରମାନଙ୍କୁ ବସାଇଲେ। ଆଖିବୁଜି ଧ୍ୟାନସ୍ଥ ହୋଇଗଲେ। ଭାବ ସମାଧି। ଶ୍ରୀଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ମାନସ ପୂଜା। ସେ ପୂଜା ପୁଣି ଷୋଡଶ ଉପଚାରରେ। ମନଗହନରେ ଭେରୀ ତୂରୀ ମର୍ଦଳ ଢୋଲ ବାଜୁଛି। ନିଃଶ୍ବାସ ପବନ ଶଙ୍ଖ ମହୁରୀ ବଜାଉଛି।

“ହୃଦୟ ମଧ୍ୟେ ଚକାସନେ

ପ୍ରଭୁଙ୍କୁ ବସାଇ ଯତନେ।

ଆପଣା ଧଇର୍ଯ୍ୟ ସ୍ତମ୍ଭରେ

ବାନ୍ଧିଲା ମନ ପାଟଡୋରେ।

ଆନନ୍ଦେ ଦାଣ୍ଡେ ରଥେ ଚଢ଼ି

ଲଗାଇ କଳ୍ପନା ଦଉଡି।।”

ପ୍ରଭୁଙ୍କୁ ନିଉଚ୍ଛାଳି ହୋଇ ବଳରାମ ଦାସ କହୁଥାନ୍ତି। ହରିହୋ, ବାଲିରେ ତ୍ରିରଥ କରିଛି ମୁହିଁ, ସନ୍ତୋଷେ ବିଜୟ କର ଗୋସାଇଁ। ନାଥ! ତୁ ମୋତେ ଛାଡି ଯାଇ ପାରିବୁନାହିଁ। ମୁଁ ତୋତେ ହୃଦୟରେ ଧରି ରଖିଛି। କାହିଁ ଛାଡିଯିବୁ ଜଗୁ ନିବାସ, ଆଣ୍ଟେ ଧରିଛି ବଳରାମ ଦାସ। ପ୍ରଭୁ! ପୁଣିଥରେ ମୋ ଶପଥ କଥା ତୋତେ ମନେ ପକାଇ ଦେଉଛି –

“ମୁହିଁ ଯେବେ ସତ୍ୟ ଭୃତ୍ୟ ତୁମର

ଆଜ ନଗଡିବ ରଥ ସେଠାର।”

ନାଥ ତୋ ଦାସର ମହିମା ରହୁ।

କଳିଯୁଗରେ କହିବାକୁ ଥାଉ।

ଏତେକ ମାଗୁଛି କର ଗୋସାଇଁ

ବଳିଆ ଦାସ ଅଛି ତୋତେ ଧ୍ୟାୟୀ।”

ବାଲିରଥ ଉପରେ ପ୍ରଭୁଙ୍କର ଦିବ୍ୟ ଜ୍ୟୋତି ପ୍ରକାଶ ପାଇଲା। ବଳରାମ ଦାସ ଅଦ୍ଭୁତ ଦୃଶ୍ୟ ଦେଖି ତଟସ୍ଥ ହୋଇଗଲେ। ସତରେ କ’ଣ ମହାପ୍ରଭୁ ଜଗନ୍ନାଥ ବଡ଼ଦାଣ୍ଡ ଛାଡି ଭାଇଭଗିନୀ ସହିତ ଏହି ବାଲିରଥରେ ଅଧିଷ୍ଠାନ କରିଛନ୍ତି? ହଠାତ୍ ଶୂନ୍ୟବାଣୀ ହେଲା- ‘ଦାସେ! ମୋର ଉତ୍ସବ କ’ଣ ହେବ? ମୂଳ ମୋର ଭକ୍ତ। ଅଶେଷ ସୁଖ ମୁଁ ଭକ୍ତ କଥାମୃତରୁ ହିଁ ପାଇଛି। ତୁମର ଏକନିଷ୍ଠ ଭାବ ସମାଧି ହିଁ ମୋତେ ଟାଣି ଆଣିଲା। ତୁମ ଭଳି ଭକ୍ତ ଯୁଗେ ଯୁଗେ ଦୁର୍ଲଭ। ଆଉ ତୁମର ଭାବ ସମାଧି ଦୁର୍ଲଭ।’ ଭକ୍ତ ବଳରାମ, ନିଜ କର୍ମ ପାଇଁ ଅନୁତପ୍ତ ହୋଇ କାନ୍ଦି ପକାଇଲେ। ମୁଁ ଯାହାସବୁ କରିଛି ଓ କହିଛି ସେ ସବୁ ଅଭିମାନର କଥା। ମୋତେ କ୍ଷମା କରିଦିଅ ମହାବାହୁ। ସେପଟେ ବଡ଼ଦାଣ୍ଡରେ ନନ୍ଦିଘୋଷ, ତାଳଧ୍ଵଜ ଓ ଦେବଦଳନ ରଥ ଆଉ ଚଳୁନି। ଭକ୍ତମାନେ ରଥ ଦଉଡି ଟାଣି ଟାଣି ଥକି ଗଲେଣି। ମତ୍ତହସ୍ତୀମାନେ ବହୁ ବଳ ପ୍ରୟୋଗ କରି ଆଣ୍ଠେଇ ଗଲେଣି। ରଥ ଟିକେ ସୁଦ୍ଧା ଝୁଙ୍କୁନି। ରାଜା ପ୍ରତାପରୁଦ୍ରଦେବ ବ୍ୟସ୍ତ ହୋଇଉଠିଲେ। ମହାପ୍ରଭୁଙ୍କୁ ସ୍ତୁତି କଲେ। ପୂଜାର୍ଚ୍ଚନା କଲେ କୈାଣସି ଫଳ ହେଲାନି। ରାଜା କୁଶ ଆସନରେ ବସି ଧ୍ୟାନସ୍ଥ ହୋଇ ପ୍ରଭୁଙ୍କୁ ମନ ମଧ୍ୟରେ ସ୍ମରଣ କରିବାରେ ଲାଗିଲେ। ସେହି ଧ୍ୟାନ ମଧ୍ୟରେ ପ୍ରଭୁ ରାଜାଙ୍କୁ କହିଲେ- ହେ ରାଜା! ବଳରାମ ଦାସ ମୋର ପରମ ଭକ୍ତ। ସେ ଯେଉଁ ଅବସ୍ଥାରେ ଥାଉ, ସେ ମୋର ପ୍ରିୟ। ତାକୁ ତୋର ପଣ୍ଡା ସେବକମାନେ ବହୁ କଷ୍ଟ ଦେଲେ। ସେ ସମୁଦ୍ର କୂଳରେ ଚକ୍ରତୀର୍ଥ ଠାରେ ବାଲି ରଥ କରି ମୋତେ ଅଟକାଇ ରଖିଛି। ତାର ଭାବ ସମାଧିରେ ଆମେମାନେ ବନ୍ଧା ପଡିଛୁ। ବଳରାମ ଦାସ ପ୍ରତି ଅନ୍ୟାୟ ହୋଇଛି ତୁ ତାର ପ୍ରତିକାର କର। ରଥ ଚାଲିବ। ରାଜା ଆଉ କାଳ ବିଳମ୍ବ ନକରି ଅତ୍ୟନ୍ତ ସମ୍ମାନର ସହ ଭକ୍ତକବି ବଳରାମ ଦାସଙ୍କୁ ପାଲିଙ୍କିରେ ବସାଇ ଚକ୍ରତୀର୍ଥରୁ ବଡ଼ଦାଣ୍ଡକୁ ଅଣାଇ ରଥ ଉପରେ ବସାଇଲେ। ବଳରାମ ଦାସଙ୍କ ଆଦେଶ ପାଇ ତିନି ରଥ ଘର୍ଘର ନାଦ କରି ବଡ଼ଦାଣ୍ଡରେ ଗଡି ଚାଲିଲେ। ଭକ୍ତମାନଙ୍କର ହରିବୋଲ ଧ୍ୱନୀରେ ବଡ଼ଦାଣ୍ଡ ଉଚ୍ଛୁଳି ପଡୁଥାଏ। ଶେଷରେ ଭକ୍ତ ବଳରାମ ଦାସଙ୍କ ଜୟ ହେଲା। ଅପରାଧିମାନେ ରାଜାଙ୍କ ଦ୍ବାରା ଦଣ୍ଡିତ ହେଲେ।

ସୁନୀଲ କୁମାର ଧଙ୍ଗଡାମାଝୀ

ସଂପାଦକ, ଓଡ଼ିଆ ବାର୍ତ୍ତା 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.