ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ”କକ୍ରୋଚ୍ ଜନତା ପାର୍ଟି”, ବିଭିନ୍ନ ଛାତ୍ର ସଂଗଠନ ଏବଂ ବିରୋଧୀ ଦଳଗୁଡ଼ିକର କ୍ରମାଗତ ଦାବି ଓ ଆନ୍ଦୋଳନ ଆଗରେ ନଇଁ ଶନିବାର ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହାପରେ ଦେଶର ରାଜନୈତିକ ପାଣିପାଗ ସରଗରମ ରହିଛି। ଏହାକୁ ନେଇ ନର୍ଲା କଂଗ୍ରେସ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିଟ ୟୁଜିସି ପରୀକ୍ଷାର ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ଦିଲ୍ଲୀର ଯନ୍ତର ମନ୍ତର ଠାରେ ହୋଇ ଆସୁଥିଲା ଆନ୍ଦୋଳନ। ଏଥିପାଇଁ ଦାୟୀ କରାଯାଇଥିଲା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପଧାନଙ୍କୁ। ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି ଆସୁଥିଲା ଛାତ୍ର ସଂଗଠନ। ଏହି ଘଟଣାକୁ ଘୋର ନିନ୍ଦା କରିବା ସହିତ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ନିଶାନା କରି ଆସୁଥିଲେ ରାହୁଲ ଗାନ୍ଧୀ। କକ୍ରୋଚ ଜନତା ପାର୍ଟି ନେତୃତ୍ୱରେ ଗତ ୨୭ ଦିନ ଧରି ଚାଲି ଆସୁଥିବା ଏହି ଆନ୍ଦୋଳନ କେନ୍ଦ୍ର ସରକାରଙ୍କୁ ନାକେଦମ କରି ସାରିଥିଲା। ଶେଷରେ ବିଭିନ୍ନ ଚାପରେ ବାଧ୍ୟ ହୋଇ ଶିକ୍ଷା ମନ୍ତ୍ରୀ ଆଜି ଇସ୍ତଫା ପ୍ରଦାନ କରିଛନ୍ତି। ତେବେ ଶନିବାର ସନ୍ଧ୍ୟାରେ ନର୍ଲା ବ୍ଲକ କଂଗ୍ରେସ ତରଫରୁ ସଭାପତି ଚୁଳମଣି ଗୌଡିଆ ଓ ସାଧାରଣ ସମ୍ପାଦକ ଦିପୁ ପାତ୍ରଙ୍କ ନେତୃତ୍ୱରେ ବିଜୟ ଉତ୍ସବ ପାଳିତ ହୋଇଥିଲା। ନର୍ଲା ବ୍ଲକ କଂଗ୍ରେସ ତରଫରୁ ହାତରେ ଦଳୀୟ ପତାକା ନେଇ ନିଲୁ ସେଠୀ, ସୁମନ ମାଝୀ, ବିକାଶ ପାତ୍ର, ଟୁନା ପୋଢ, ଯୁଗେଶ ସେନାପତି, ରୋମାଞ୍ଚଲ ଜାଲ, ଶୈଳେଶ ସେନାପତି, କାମରାଜ ନାଏକ ପ୍ରମୁଖ ଙ୍କ ସମେତ ୫୦ ରୁ ଊର୍ଦ୍ଧ୍ବ କର୍ମୀ ଚାରିଛକରୁ ଏକ ଭବ୍ୟ ବାଇକ ଶୋଭାଯାତ୍ରାରେ ନର୍ଲା ବସଷ୍ଟାଣ୍ଡକୁ ଯାଇଥିଲେ। ରାହୁଲ ଗାନ୍ଧୀ ଜିନ୍ଦାବାଦ, ଜାତୀୟ କଂଗ୍ରେସ ଜିନ୍ଦାବାଦ, ଭକ୍ତଦାସ ଜିନ୍ଦାବାଦ, ବିଜେପି ଡାଉନ ଡାଉନ ବୋଲି ନାରା ଦେଇ ନର୍ଲା ବସଷ୍ଟାଣ୍ଡରେ ବାଣ ଫୁଟାଇ ପରଷ୍ପରକୁ ମିଠା ଖୁଆଇ ବାଣ ଫୁଟାଇ ବିଜୟ ଉତ୍ସବ ମନାଇଥିଲେ କର୍ମୀମାନେ।






