‘ଟାଇମ୍‍ପାସ୍‍’ ପୁସ୍ତକପର୍ବରେ ପ୍ରଦୀପ କୁମାର ରାୟଙ୍କ ‘ଅନନ୍ୟା ଅତୁଳନୀୟା’ ହେଲା ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଟାଇମପାସ ପ୍ରକାଶନ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁସ୍ତକପର୍ବରେ ଲୋକାର୍ପିତ ହୋଇଯାଇଛି ବିଶିଷ୍ଟ ଲେଖକ ଓ ଅନୁବାଦକ ପ୍ରଦୀପ କୁମାର ରାୟଙ୍କ ଫିଚର ପୁସ୍ତକ ‘ଅନନ୍ୟା ଅତୁଳନୀୟା’। ବିଶ୍ୱର ଅଶୀ ଜଣ ପ୍ରେରଣାଦାୟୀ ନାରୀଙ୍କ ସଂଘର୍ଷ ଓ ସଫଳତାର ଲୋମହର୍ଷଣକାରୀ କାହାଣୀକୁ ନେଇ ସଂକଳିତ ଏହି ପୁସ୍ତକ ଉନ୍ମୋଚନ କରି ବରିଷ୍ଠ ଲେଖିକା ପ୍ରଫେସର ସଂଘମିତ୍ରା ମିଶ୍ର କହିଥିଲେ ଯେ ଯୋଉ ଘରର ମୂଳଦୁଆ ଯେତେ ଟାଣ, ସେ ଘର ସେତେ ଅଧିକ ମହଲା ପର୍ଯ୍ୟନ୍ତ ଯାଇପାରେ! ନାରୀ ସବୁ ସଭ୍ୟତାର ମୂଳଦୁଆ ପରି । ଗାଳ୍ପିକା ତଥା ‘କାଦମ୍ବିନୀ’ର ସଂପାଦିକା ଡ. ଇତି ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିର ଭୂୟସୀ ପ୍ରଶଂସା କରି କହିଥିଲେ ଯେ ସମାଜରେ ସଂସ୍କାର ଆଣିଥିବା ନାରୀମାନଙ୍କୁ ଇତିହାସ ସବୁବେଳେ ଅଣଦେଖା କରିଥାଏ । କିନ୍ତୁ ପୁରାଣ ଓ ସାହିତ୍ୟ ସାହସିନୀ ନାରୀଙ୍କର ଗାଥା ବର୍ଣ୍ଣନା କରିଆସିଛି । ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ତଥା ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା କହିଥିଲେ ଯେ ନିଜ ସମୟର ଚିନ୍ତାଧାରାଠାରୁ ଅଧିକ ଭାବିଥାଏ ଜଣେ ନାରୀ । ନାରୀ ମାନେ ଅଧା ପୃଥିବୀର ଅଧିଶ୍ଵରୀ । ଲେଖକ ଶ୍ରୀ ରାୟ ପୁସ୍ତକ ପଛର ପ୍ରେରଣା ଓ ଉପଲବ୍ଧି ବଖାଣିଥିବା ବେଳେ ଲେଖକ ତଥା ‘ଟାଇମପାସ୍‍’ର ନିର୍ଦ୍ଦେଶକ ସରୋଜ ବଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ପରିଚାଳନାରେ ସହଯୋଗ କରିଥିଲେ ବିଭୂତି ଖୁଣ୍ଟିଆ, ତିଳୋତ୍ତମା ଦାସ, ସୋନମ ଦାସ, ସୁବ୍ରତ ମହାନ୍ତି, ସମ୍ବିତ ଲେଙ୍କା ଓ ସମାସ ବଳ । ଶତାଧିକ ଲେଖକ ଓ ପାଠକ ପୁସ୍ତକପର୍ବରେ ଯୋଗଦେଇ ଏହାକୁ ସଫଳ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.