ନିମ୍ନମାନର କାମ ଅଭିଯୋଗ
ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ଶିବମୂର୍ତ୍ତି ପୋଖରୀ ନିକଟରେ ନିର୍ମାଣାଧୀନ ମିନିପାର୍କର ତିଆରି ବାଡ଼ ଲଗାଣ ବର୍ଷାରେ ଭାଙ୍ଗି ପଡ଼ିଥିବାରୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସିଏଫସି (CFC) ଗ୍ରାଣ୍ଟରୁ ପ୍ରାୟ ୪ ଲକ୍ଷ ୨୬ ହଜାର ଟଙ୍କା ବ୍ୟୟରେ ଏହି ପାର୍କ ତିଆରିରେ ବାଡ଼ ନିର୍ମାଣ କରାଯାଉଥିଲା। ମାତ୍ର ଛଅ ମାସ ତଳେ କାମ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେବା ପୂର୍ବରୁ ବର୍ଷାରେ ବାଡ଼ର ଗୋଟିଏ ପଟ ଭାଙ୍ଗିଯାଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ବାଡ଼ଟି ବର୍ଷାକୁ ସହିପାରିନଥିଲା। ସରକାରୀ ଅର୍ଥରେ ହେଉଥିବା କାମର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ଘଟଣାର ତଦନ୍ତ କରି ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଗୁଣବତ୍ତାପୂର୍ଣ୍ଣ ଭାବେ ପୁନଃନିର୍ମାଣ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବିଶ୍ୱ ବିହାରୀ ଯୋଶୀଙ୍କୁ ପଚାରିବାରୁ, ଭାଙ୍ଗିଯାଇଥିବା ବାଡ଼କୁ ପୁନର୍ବାର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।





