ପେନାଲ୍ଟିରେ ଚେରଙ୍ଗାଗୁଡ଼ା ଚାମ୍ପିଅନ୍, ମସ୍ତିପୁଟ ରନର୍ସଅପ୍
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ସଦର ବ୍ଲକର ମସ୍ତିପୁଟ ଅଞ୍ଚଳରେ ଆୟୋଜିତ ହୋଇଥିବା ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୭୮ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ଦିନ ହଜାର ଫୁଟବଲପ୍ରେମୀ ପଡ଼ିଆକୁ ଆସି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ଉଦ୍ଯାପନୀ ଦିବସର ଆକର୍ଷଣ ଥିଲା ଫାଇନାଲ ମ୍ୟାଚ୍। ଚେରଙ୍ଗାଗୁଡ଼ା ଏବଂ ଆୟୋଜକ ମସ୍ତିପୁଟ ଦଳ ମଧ୍ୟରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବା ସହ ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲେ। ନିର୍ଦ୍ଧାରିତ ସମୟରେ ଫଳାଫଳ ବରାବର ରହିବାରୁ ମ୍ୟାଚ୍ ଟାଇବ୍ରେକର ପେନାଲ୍ଟି ସୁଟଆଉଟ୍କୁ ଯାଇଥିଲା। ସେଥିରେ ଚେରଙ୍ଗାଗୁଡ଼ା ଦଳ ଶ୍ରେଷ୍ଠତ୍ୱ ପ୍ରମାଣ କରି ଚାମ୍ପିଅନ୍ ଟ୍ରଫି ହାସଲ କରିଥିଲା। ବିଜେତା ଚେରଙ୍ଗାଗୁଡ଼ା ଦଳକୁ ୨୦ ହଜାର ଟଙ୍କା ସହ ଆକର୍ଷଣୀୟ ଟ୍ରଫି ଏବଂ ରନର୍ସଅପ୍ ମସ୍ତିପୁଟ ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋରାପୁଟ ସଦର ବ୍ଲକ ଚେୟାରମ୍ୟାନ୍ ନମିତା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ସାଂସଦ ପ୍ରତିନିଧି ବାବୁଲା ବେନିୟା, ଜଗଦୀଶ ଖୋସଲା, ବିଧାୟକ ପ୍ରତିନିଧି ସୌମ୍ୟରଞ୍ଜନ ମାଛ, ପ୍ରଫିପ ବେନିୟା, ବାପୁଜୀ ପାତ୍ର, ସମାଜସେବୀ ରାଜେନ୍ଦ୍ର ଗଣ୍ଡା, ମଣ୍ଟୁ ବେନିୟା, ନାଏବ ସରପଞ୍ଚ ଭରତ ଖୋସଲା ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ଏଭଳି ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଟୁର୍ଣ୍ଣାମେଣ୍ଟର ଆୟୋଜକ CYA ମସ୍ତିପୁଟ ପକ୍ଷରୁ ସମସ୍ତ ରେଫରୀଙ୍କୁ ଉପହାର ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ଆୟୋଜକମାନେ ସମସ୍ତ ଦଳ, ଖେଳାଳି, ସ୍ୱେଚ୍ଛାସେବୀ ଏବଂ ଫୁଟବଲପ୍ରେମୀଙ୍କୁ ଧନ୍ୟବାଦ ଜଣାଇଥିଲେ।






