ଶ୍ରୀ ଶ୍ରୀ ଭଗବତ ସ୍ବାମୀ ଦେବଗିରି ମଠରେ ନାଗ ପଞ୍ଚମୀ ଓ ଶ୍ରାବଣ ତୃତୀୟ ସୋମବାର

ମନେପଡିଲେ ପ୍ରଜାପାଳକ ରାଜା ଗୋସିଂହ ଦୈତ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତ୍ରିପୁର ବିଜୟୀ ଗୋସିଂହ ଦୈତ୍ୟଙ୍କ ପ୍ରତାପରେ ଥରହର ହେଉଥିଲା ଚଉଦ ଭୂବନ। ତ୍ରାହି ତ୍ରାହି ଡାକୁଥିଲେ ତିନି ପୁରବାସୀ। ମହିଷାସୁରଙ୍କ ପଣନାତି ଗୋସିଂହ ଦୈତ୍ୟ ଜେନାବଳୀ ନଗ୍ରରେ ଶାସନ କରୁଥିବାବେଳେ ଦେବଗିରି ଥିଲା ତାଙ୍କ ତପସ୍ଥଳୀ। ଦେବଗିରିର ଗୁମ୍ଫା ମଧ୍ୟରେ ସେ କରୁଥିଲେ ଶିବ ଉପାସନା। କିମ୍ବଦନ୍ତୀ ଅନୁସାରେ ପ୍ରଜାପାଳକ ରାଜା ଗୋସିଂହ ଦୈତ୍ୟ ଥିଲେ ନାଗ ଗୋତ୍ରୀୟ ବେସ୍କା କନ୍ଧ। ତେଣୁ ନାଗ ପଞ୍ଚମୀ ତଥା ଶ୍ରାବଣ ତୃତୀୟ ସୋମବାର ଅବସରରେ ଦୈତ୍ୟରାଜଙ୍କ ସ୍ମୃତି ଚାରଣ କରିଛି ଦେବଗିରି ମଠ ଟ୍ରଷ୍ଟ ବୋର୍ଡ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ବୁଢ଼ୀପଦର ସ୍ଥିତ ଶ୍ରୀ ଶ୍ରୀ ଭଗବତ ସ୍ୱାମୀ ଦେବଗିରି ମଠ ଠାରେ ନାଗ ପଞ୍ଚମୀ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏହି ବର୍ଷ ଶ୍ରାବଣ ମାସର ତୃତୀୟ ସୋମବାର ଦିନ ନାଗ ପଞ୍ଚମୀର ଅପୂର୍ବ ସଂଯୋଗ ଘଟିଛି। ଶ୍ରାବଣ ସୋମବାର ଏବଂ ନାଗ ପଞ୍ଚମୀର ଏହି ଦୁର୍ଲଭ ମିଶ୍ରଣ ଶିବ ଭକ୍ତଙ୍କ ମନରେ ଅପାର ଆନନ୍ଦ ଆଣିଦେଇଛି। ଏହି ଦିନ, ସୂର୍ଯ୍ୟ ଦେବଙ୍କର ରାଶି ପରିବର୍ତ୍ତନ (ସୂର୍ଯ୍ୟ ଗୋଚର) ମଧ୍ୟ ହୋଇଛି। ତେଣୁ ମଠ ପରିବେଶ ଭକ୍ତିଭାବରେ ମୁଖରିତ ହୋଇ ଉଠିଥିଲା। ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ, ସେବକ ଟିକେ ଗଉଡ, ପୁରାଣ ପାଠକ ପୂର୍ବା ଗଉଡ, ଧର୍ମେନ୍ଦ୍ର ଧଙ୍ଗଡାମାଝୀ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ବୋଲବମ ଭକ୍ତମାନଙ୍କ ରାତ୍ରି ରହଣୀର ବ୍ୟବସ୍ଥା ସହ ଟ୍ରଷ୍ଟ ବୋର୍ଡ ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ବିଜୟ ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ରଜନୀ ଗଉଡ, ସଞ୍ଜୟ ଧଙ୍ଗଡାମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ଭରତ ଧଙ୍ଗଡାମାଝୀ, ଦେବରାଜ ଗଉଡ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.