ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସରଳା ଦେବୀ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଥମ ମହିଳା ବିଧାୟିକା, ସୁସାହିତ୍ୟିକା ଓ ସମାଜ ସଂସ୍କାରକ ଲୌହମାନବୀ ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ କଟକସ୍ଥିତ ସାରଳା ଭବନରେ ଶ୍ରଦ୍ଧା ଓ ଗରିମାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ଛବିରାଣୀ ପତିଙ୍କୁ ତାଙ୍କର ସାରସ୍ୱତ ସୃଷ୍ଟି ଓ ସାଧନା ପାଇଁ ‘ସରଳା ଦେବୀ ସାରସ୍ୱତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ବିଶିଷ୍ଟ ଆଇନଜୀବୀ ତଥା ସରଳା ଦେବୀ-ଭାଗିରଥୀ ମହାପାତ୍ର ଟ୍ରଷ୍ଟର ସଭାପତି ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସରଳା ଦେବୀଙ୍କ ନାତି ତଥା ସରଳା ଦେବୀ ସାହିତ୍ୟ ସଂସଦର ସମ୍ପାଦକ ଲକ୍ଷ୍ମୀ ପ୍ରକାଶ ମହାପାତ୍ର ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ସେ ସରଳା ଦେବୀଙ୍କ ଜନ୍ମତାରିଖକୁ ନେଇ ରହିଥିବା ଦ୍ୱନ୍ଦ୍ୱର ଅବସାନ ଘଟାଇ ବିଧାନସଭାର ସରକାରୀ ତଥ୍ୟ ଆଧାରରେ ତାଙ୍କ ଜନ୍ମ ଅଗଷ୍ଟ ୧୯ ତାରିଖରେ ହୋଇଥିବା ସ୍ପଷ୍ଟ କରିଥିଲେ। ସଭାରେ ବରେଣ୍ୟ ଅତିଥି ଡ. ଇଂ. ପ୍ରଭାକର ସ୍ୱାଇଁ, ମୁଖ୍ୟ ଅତିଥି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଜ୍ୟୋସ୍ନା କେ.ବି. ରାଉତ, ବିଶିଷ୍ଟ ଅତିଥି ଦୈନିକ ‘ସମ୍ବାଦ’ର ସମ୍ପାଦିକା ତନୟା ପଟ୍ଟନାୟକ, ଓଡ଼ିଶା ସରକାରଙ୍କ ଶାସନ ସଚିବ ମନସ୍ୱିନୀ ସାହୁ ଏବଂ ମୁଖ୍ୟ ବକ୍ତା ଡ. ବୈଜୟନ୍ତୀ ନାୟକ ଯୋଗଦେଇ ସରଳା ଦେବୀଙ୍କ ଜୀବନ, ସଂଗ୍ରାମ, ସାହିତ୍ୟ ସାଧନା ଓ ସମାଜ ସଂସ୍କାରମୂଳକ କାର୍ଯ୍ୟର ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସ୍ମୃତି ସଭାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଅଧିକାରୀ ରଶ୍ମୀରଞ୍ଜନ ଶତପଥୀ, ଉତ୍କଳ ସାହିତ୍ୟ ସମାଜର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ, ସୀ. କସ୍ତୁରୀ, ଶଶୀଭୂଷଣ ଦାସ, ବିଶ୍ୱଜିତ୍ ପାଣି, ବିଭୁ ପ୍ରସନ୍ନ ମହାପାତ୍ର, ଦେବୀ ପ୍ରସନ୍ନ ମହାପାତ୍ର, ଅକ୍ଷୟ କୁମାର ବେହେରାଙ୍କ ସମେତ ବହୁ ବିଶିଷ୍ଟ ଓ ବରିଷ୍ଠ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ। ସରଳା ଦେବୀଙ୍କ ଆଦର୍ଶ, ସ୍ୱାଭିମାନ, ଦେଶପ୍ରେମ, ନାରୀ ଜାଗରଣ ଓ ସମାଜ ସଂସ୍କାରର ଚେତନାକୁ ଆଜିର ପିଢ଼ି ନିକଟରେ ପହଞ୍ଚାଇବା ଏଭଳି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଶେଷରେ ଆଇନଜୀବୀ ଜଗନ୍ନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।





