ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଘରୋଇ ବସ୍ କର୍ମଚାରୀଙ୍କ ଦବଙ୍ଗଗିରି। ଟିକେଟ୍ କାଟିଲେ ପୂରା ରାସ୍ତାର, ହେଲେ ଅଧା ବାଟରେ ଯାତ୍ରୀଙ୍କୁ ଓହ୍ଲାଇ ଦେଲେ ବସ୍ କର୍ମଚାରୀ। ଏପରି ଅଭାବନୀୟ ଦୃଶ୍ୟ ଗୁରୁବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ମୁଖ୍ୟ ଛକ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି। ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ସେମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଆସିବା ପାଇଁ ହାଇଦ୍ରାବାଦ ସ୍ଥିତ ରାଜଧାନୀ ବସ୍ କାଉଣ୍ଟରେ ଟିକଟ ପାଇଁ ପହଞ୍ଚି ଥିଲେ। ତେବେ ସେଠାରେ ପ୍ରବାସୀ ଶ୍ରମିକ ମାନଙ୍କୁ ମାଡ଼ ମାରିବା ସହ ପାଖରେ ଯାହା ଟଙ୍କା ଥିଲା ଜୋର ଜବରଦସ୍ତ ଛଡାଇ ନେବା ସହ ଫୋନ୍-ପେ ରେ ଥିବା ଟଙ୍କା ମଧ୍ୟ ଜବରଦସ୍ତି ନେଇଥିବା ଅଭିଯୋଗ କରିଛନ୍ତି। ଏହି ପ୍ରବାସୀ ଶ୍ରମିକ ମାନେ ହାଇଦ୍ରାବାଦରୁ ନୂଆପଡ଼ା ଜିଲ୍ଲାର ସିନାପାଲି, ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ମୁରିବାହାଲ, କେମନା ଓ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ପାଇଁ ୩୦ରୁ ଉର୍ଦ୍ଧ୍ବ ଜଣଙ୍କ ଟିକେଟ୍ କାଟିଥିଲେ। ହେଲେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପରିବର୍ତ୍ତେ, ଆମପାଣିଠାରେ ହିଁ ବସ୍ କର୍ମଚାରୀ ସେମାନଙ୍କୁ ଓହ୍ଲାଇ ଦେଇଥିଲେ। ଘଟଣାକୁ ନେଇ ରାସ୍ତା ମଝିରେ ପ୍ରବଳ ହୋହାଲ୍ଲା ଓ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଏପରି ହେଲା ଯେ’ ଘଟଣା ସ୍ଥଳରେ ଆମପାଣି ଥାନା ପୋଲିସ ପହଞ୍ଚି ପ୍ରବାସୀ ଶ୍ରମିକ ମାନଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ଏହାସହ ବସକୁ ଜବତ କରି ଥାନାକୁ ଆଣିବା ସହ ତଦନ୍ତ ଚଳାଇଥିଲେ। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ବସଟି କୌଣସି ଯାତ୍ରୀବାହୀ ବସ୍ ନଥିଲା, ବରଂ ଏହା ଏକ ‘ଟୁରିଷ୍ଟ ବସ୍’ ଥିଲା। ଏକ ଟୁରିଷ୍ଟ ବସରେ କେମିତି ଯାତ୍ରୀବାହୀ ବସ୍ ଭଳି ନିୟମ ଉଲ୍ଲଂଘନ କରି ଟିକେଟ୍ କଟାଯାଇଥିଲା। ଯାହା ପୋଲିସ ଓ ପରିବହନ ବିଭାଗ ପ୍ରତି ପ୍ରଶ୍ନ ସୃଷ୍ଟି କରିଛି। କାହିଁକି ନାଁ ବେଆଇନ ଭାବେ ଏପରି ବସ୍ ଏହି ରୁଟରେ ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୨୦ରୁ ଉର୍ଦ୍ଧ ବସ୍ ହାଇଦ୍ରାବାଦ, ବେଙ୍ଗାଲୁରୁ ଆଦି ସ୍ଥାନ କୁ ଚାଲୁଥିବା ସତ୍ତ୍ୱେ ପୋଲିସ ଓ ପରିବହନ ବିଭାଗ କାହିଁକି ଚୁପ୍ ବସିଛନ୍ତି? ଏହା ପଛରେ କାହାର ଛାତ୍ରଛାୟା ରହିଛି, ତାହାକୁ ନେଇ ଏବେ ଜନ ସାଧାରଣରେ ବଡ଼ ଚର୍ଚ୍ଚା ସୃଷ୍ଟି ହୋଇଛି। ତେବେ ଅନେକ ସମୟ ଧରି ଥାନାରେ ଆଲୋଚନା ହେବାପରେ ବସ୍ କର୍ମଚାରୀ ମାନେ ଯାତ୍ରୀମାନଙ୍କ ଗନ୍ତବ୍ୟ ସ୍ଥଳକୁ ନେଇ ଛାଡ଼ିବା ପାଇଁ ଲିଖିତ ଭାବରେ ଦେବାପରେ ଥାନାରୁ ଗାଡି ଛଡାଯାଇଥିଲା। ତେବେ ଉକ୍ତ ଘରୋଇ ବସ୍ ଟି ଟୁରିଷ୍ଟ ବସ୍ ହୋଇ ଥିଲେ ମଧ୍ୟ ଯାତ୍ରୀ ମାନଙ୍କୁ ଟିକଟ କାଟି ସାଧାରଣ ଯାତ୍ରୀବାହୀ ବସ୍ ଭଲି କେଉଁ ପରିସ୍ଥିତିରେ ନେଉଥିଲେ। ଏଣେ ଉକ୍ତ ବସ୍ କୁ କୌଣସି ଚାଲାଣ ମଧ୍ୟ କଟା ଯାଇ ନଥିବାରୁ ପୋଲିସ ପ୍ରତି ଜନ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।






