ସିକେରକୁପା ଫାଣ୍ଡି ପକ୍ଷରୁ ଲାଞ୍ଜିଗଡ଼ରୋଡ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ସାଇବର ସଚେତନତା ଶିବିର
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ସିକେରକୁପା ଫାଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।
ଏହି କ୍ରମରେ ବର୍ତ୍ତମାନର ଆଧୁନିକ ଯୁଗରେ ବୃଦ୍ଧି ପାଉଥିବା ସାଇବର ଅପରାଧ ଓ ଏହାର ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ନର୍ଲା ଥାନା ଅଧିନସ୍ଥ ସିକେରକୁପା ଫାଣ୍ଡି ପକ୍ଷରୁ ଏକ ବ୍ୟାପକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ କ୍ଲଷ୍ଟରର ବିଭିନ୍ନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଏବଂ ପିଏମଶ୍ରୀ ବିଦ୍ୟାଳୟରେ ଏହି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ସିକେରକୁପା ଫାଣ୍ଡି ଅଧିକାରୀ ମୁରଲୀ ମୋହନ ପିଡିକାଙ୍କ ତତ୍ବାବଧାନରେ ଅନୁଷ୍ଠିତ
ଶିବିରରେ ସାଇବର ଅପରାଧୀମାନେ କିପରି ବିଭିନ୍ନ କୌଶଳ ଅବଲମ୍ବନ କରି ଲୋକଙ୍କୁ ଠକୁଛନ୍ତି ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଯାଇଥିଲା। ବିଶେଷକରି ଅଜଣା ଫୋନ କଲ, ଫେକ୍ ଲିଙ୍କ, କେୱାଇସି ଅପଡେଟ ମେସେଜ, ଅନଲାଇନ ଚାକିରି ପ୍ରଲୋଭନ, ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ ସମ୍ବନ୍ଧୀୟ ଠକେଇ, ଓଟିପି ଓ ପାସୱାର୍ଡ ହାସଲ କରି ଟଙ୍କା ଲୁଟିବା ଭଳି ଘଟଣାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କୁ କୁହାଗଲା ଯେ କୌଣସି ଅଜଣା ବ୍ୟକ୍ତି ଫୋନ କରି ନିଜକୁ ବ୍ୟାଙ୍କ ଅଧିକାରୀ, ପୋଲିସ ଅଧିକାରୀ କିମ୍ବା ଅନ୍ୟ କୌଣସି ସଂସ୍ଥାର ଅଧିକାରୀ ପରିଚୟ ଦେଲେ ମଧ୍ୟ ତାଙ୍କୁ ବ୍ୟକ୍ତିଗତ ତଥ୍ୟ, ଓଟିପି, ପିନ, ପାସୱାର୍ଡ କିମ୍ବା ବ୍ୟାଙ୍କ ସୂଚନା ଦେବେ ନାହିଁ। ସେହିପରି ଅଜଣା ଲିଙ୍କ୍ କ୍ଲିକ ନକରିବା ଏବଂ ସୋସିଆଲ ମିଡିଆରେ ଅଜଣା ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ତଥ୍ୟ ଆଦାନପ୍ରଦାନ ନକରିବାପାଇଁ ସଚେତନ କରାଯାଇଥିଲା। ଏହାସହ ସାଇବର ଠକେଇର ଶିକାର ହେଲେ ଭୟଭୀତ ନହୋଇ ତୁରନ୍ତ ପୋଲିସକୁ ଜଣାଇବା ସହ ସାଇବର ଅପରାଧ ସମ୍ପର୍କିତ ଅଭିଯୋଗ ଶୀଘ୍ର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଶିବିରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ସହ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା ସଭାପତି, ସମାଜସେବୀ, ଅଭିଭାବକ, ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କନେଷ୍ଟବଳ ଶ୍ରୀ ବାସବ ମାଝୀ ଓ ଶ୍ରୀ ପିତବାସ ମାଝୀ ପ୍ରମୁଖ ସହଯୋଗ କରିଥିଲେ। ଏହି ସଚେତନତା ଶିବିର ଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି। ପୋଲିସ ପ୍ରଶାସନର ଏଭଳି ପ୍ରଶଂସନୀୟ ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକମାନେ ସାଧୁବାଦ ଜଣାଇଛନ୍ତି।





