ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସମବାୟ ସମିତିରେ ଅଗଷ୍ଟ ୬ ରୁ ଚାଲିଛି ୨୦୨୬/୨୦୨୭ ବର୍ଷ ପାଇଁ ଚାଷୀ ପଞ୍ଜିକରଣ। ରାଜ୍ୟ ସରକାର ସମବାୟ ସମିତି ଜରିଆରେ ଖରିଫ ଓ ରବି ଋତୁରେ ଚାଷୀଙ୍କ ଠାରୁ ସରକାରୀ ମୂଲ୍ୟରେ ଧାନ କିଣିଥାନ୍ତି। ହେଲେ କେତେକ ଅଣ ଚାଷୀ, ଦଲାଲ ଗାଁ ଗାଁ ବୁଲି ଗରୀବ ଚାଷୀଙ୍କ ଠାରୁ ଅତି ନିମ୍ନ ମୂଲ୍ୟରେ ଧାନ କଣି ନେଇ କମ ଚାଷ କରି ଅଧିକ ପରିମାଣର ଧାନ ବିକିବା ପାଇଁ ଟୋକନ ପାଇଥିବା ଚାଷୀଙ୍କୁ ଆୟୁଧ କରି ସରକାରୀ ମୂଲ୍ୟରେ ଧାନ ବିକି ମାଲା ମାଲା ହୋଇଥାନ୍ତି। ଏସବୁକୁ ଲକ୍ଷ୍ୟ କରି ସରକାର ଗତ ୮ ବର୍ଷ ହୋଇଗଲା ଅନ ଲାଇନ ମାଧ୍ୟମରେ କରୁଛନ୍ତି ଚାଷୀ ପଞ୍ଜିକରଣ। ଏଥିରେ ପ୍ରକୃତ ଚାଷୀ ଉପକୃତ ହେବା ସହ ଦଲାଲ ରାଜରେ ଅଙ୍କୁଶ ଲାଗିବ ବୋଲି କୁହାଯାଉଛି। ଅଗଷ୍ଟ ୬ ରୁ ୩୧ ଯାଏଁ ଅନୁଷ୍ଠିତ ହେଉଛି ଚାଷୀ ପଞ୍ଜିକରଣ। ନର୍ଲା ଏକ ଅଣ ଜଳ ସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷ କରିଥାନ୍ତି। ଭଲ ଭାବରେ ସମୟାନୁଯାୟୀ ବର୍ଷା ହେଲା ତ ଠିକ ନହେଲେ ମରୁଡିର କଷାଘାତରେ ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥାଏ। ତୁଳାପଡା ର “ବଣାମୁଡା ମାଇନର ଇରିଗେସନ ପ୍ରକଳ୍ପ”, ନର୍ଲା ରେ ଥିବା “ପ୍ରେଞ୍ଚୋ ପ୍ରକଳ୍ପ”, “ଭାନପୁର ପ୍ରକଳ୍ପ” ଓ ଅସୁରଗଡ ର “ସୁନାମୁଖି ସାଗର ପ୍ରକଳ୍ପ” ଗୁଡିକ ଯୋଗୁଁ ନର୍ଲାର ଅଳ୍ପ କିଛି ଅଞ୍ଚଳ ର ଚାଷୀ ଜଳ କଷ୍ଟରୁ ତ୍ରାହି ପାଇଛନ୍ତି। ହେଲେ ଏହି ପ୍ରକଳ୍ପ ଗୁଡିକ ମଧ୍ୟ ରବି ଚାଷ ପାଇଁ ପାଣି ଯୋଗାଇ ପାରୁ ନଥିବାରୁ କେବଳ ଖରିଫ୍ ଗୋଟିଏ ଚାଷ ହିଁ ଏସବୁ ଅଞ୍ଚଳରେ ଭଲ ହୋଇଥାଏ। ଗତ ୫ ବର୍ଷ ହେଲା ଶାନ୍ତପୁର ଗ୍ରାମ ପଞ୍ଚାୟତ ର ରେତ ନଦୀରେ ହୋଇଥିବା “ରେତ ଜଳସେଚନ” ପ୍ରକଳ୍ପ ଯୋଗୁଁ ଶାନ୍ତପୁର, ବଡଧାରପୁର, ନିଶାଣପୁର ପ୍ରଭୃତି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଚାଷୀ ଦୁଇଗୋଟି ଫସଲ କରିପାରୁଥିବା ଦେଖିବାକୁ ମିଳୁଛି। ନର୍ଲା ବ୍ଲକ ଅଧିନରେ ୭ ଗୋଟି ସମବାୟ ସମିତି ରହିଛି। ନର୍ଲା ସମବାୟ ଅଧିନରେ ନର୍ଲା, ସର୍ଗିଗୁଡା, ଘଣ୍ଟମାଳ ଓ ମାଣ୍ଡେଲ ଗ୍ରାମ ପଞ୍ଚାୟତ ରହିଥିବାରୁ ଚାଷୀଙ୍କ ଧାନ କିଣିବା ବେଳେ ଏହି ଚାରିଗୋଟି ଗ୍ରାମ ପଞ୍ଚାୟତରେ ତିନିଗୋଟି ମଣ୍ଡି ଅନୁଷ୍ଠିତ ହୋଇ ନର୍ଲା ସମବାୟ ସମିତି ଜରିଆରେ ଧାନ କିଣା ଚାଲିଥାଏ। ନର୍ଲା ସମବାୟ ସମିତି ଅଧିନସ୍ଥ ଏହି ଚାରିଗୋଟି ଗ୍ରାମ ପଞ୍ଚାୟତର ୨୦ ରୁ ଉର୍ଦ୍ଧ୍ୱ ଗ୍ରାମର ଚାଷୀଙ୍କ ପଞ୍ଜିକରଣ ଚାଲିଛି। ଅଗଷ୍ଟ ୬ ରୁ ଶୁକ୍ରବାର ୨୧ ଯାଏଁ ୬୫୩ ଜଣ ଚାଷୀଙ୍କ ନାମ ପଞ୍ଜିକରଣ ହୋଇଥିବା ପ୍ୟାକ୍ସ ସମ୍ପାଦକ ଲବକାନ୍ତ ସାଙ୍କ ଠାରୁ ସୂଚନା ମିଳିଛି। ଗତ ବର୍ଷ ୧୫୮୩ ଜଣ ଚାଷୀଙ୍କ ନାମ ପଞ୍ଜିକରଣ ହୋଇଥିଲା। ଚଳିତ ବର୍ଷ ଅଗଷ୍ଟ ୩୧ ସୁଦ୍ଧା ଏହା ୧୭୦୦ ଡେଇଁବ ବୋଲି ଆଶା କରାଯାଉଛି। ନର୍ଲା ପ୍ୟାକ୍ସ ସମ୍ପାଦକ ଶ୍ରୀ ସାଙ୍କ ନେତୃତ୍ୱରେ ଦୁଇ ଜଣ ସ୍ଥାୟି ଡାଟା ଏଣ୍ଟ୍ରି ଅପରେଟର ଓ ଜଣେ ଏଡିସନାଲ ଡାଟାଏଣ୍ଟ୍ରି ଅପରେଟର ଚାଷୀଙ୍କ ନାମ ପଞ୍ଜିକରଣ କାମରେ ଲାଗିଥିବା ସୂଚନା ମିଳିଛି। ସାରା ରାଜ୍ୟର ସମବାୟ ସମିତି ଗୁଡିକରେ ଏହି କାମ ଚାଲିଥିବା ଯୋଗୁଁ ସାଇଟ ମନ୍ଥର ରହୁଛି। ଏଣୁ ପଞ୍ଜିକରଣ କ୍ଷୀପ୍ର ଗତିରେ ଆଗେଇ ପାରୁନି ବୋଲି ସମ୍ପାଦକ ଶ୍ରୀ ସା ମତବ୍ୟକ୍ତ କରିଛନ୍ତି।





