ତେଲେଙ୍ଗାନାରୁ ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ: ସାହାଯ୍ୟର ହାତ ବଢ଼ାଇଲା ‘ବିନ୍ଦୁମିନା ସେବା ଫାଉଣ୍ଡେସନ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ପେଟର ବିକଳରେ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମାତ୍ର ୨୮ ବର୍ଷ ବୟସରେ ଜୀବନ ହାରିଥିବା ଏହି ଯୁବକ ସୁଦୂର ତେଲେଙ୍ଗାନାରେ ପ୍ରାଣ ହରାଇବା ପରେ, ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ର ମହାନତା ଯୋଗୁଁ ତାଙ୍କ ଶବ ନିଜ ଭିଟାମାଟିରେ ପହଞ୍ଚି ପାରିଛି। ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗାଁର ବିକାଶ ଚନ୍ଦ୍ର ଜାଲ (୨୮) ନିଜ ପରିବାର ପ୍ରତିପୋଷଣ ପାଇଁ ତେଲେଙ୍ଗାନା ରାଜ୍ୟର ରାମଗୁଣ୍ଡମ ସହରକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣାର ଶିକାର ହେବା ପରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାତିସାରା ମୃତଦେହ ହସ୍ପିଟାଲରେ ପଡ଼ିରହିବା ସହ ପରଦିନ ଶବ ବ୍ୟବଚ୍ଛେଦ ଶେଷ ହୋଇଥିଲା। କିନ୍ତୁ ଆର୍ଥିକ ଅନାଟନ ଯୋଗୁଁ ମୃତଦେହକୁ ଓଡ଼ିଶାରେ ଥିବା ନିଜ ଗାଁକୁ ଆଣିବା ପାଇଁ ପରିବାରବର୍ଗ ସମ୍ପୂର୍ଣ୍ଣ ଅସମର୍ଥ ଥିଲେ। ଏଭଳି ସ୍ଥିତିରେ ଗ୍ରାମବାସୀମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ସହାୟତା ପାଇଁ ଗୁହାରି କରିଥିଲେ। ଏହି ଦୁଃଖଦ ଖବର ପାଇବା କ୍ଷଣି “ବିନ୍ଦୁମିନା ସେବା ଫାଉଣ୍ଡେସନ” ତୁରନ୍ତ ସାହାଯ୍ୟର ହାତ ବଢ଼ାଇଥିଲା। ଫାଉଣ୍ଡେସନର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୃତ ପରିବାରର ଆର୍ଥିକ ସ୍ଥିତି ବିଷୟରେ ଗ୍ରାମର ଧର୍ମେନ୍ଦ୍ର ଜାଲ, ଭକ୍ତରାମ ଏବଂ ଡମ୍ବରୁଧର ଜାଲଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଫାଉଣ୍ଡେସନ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ ଏକ ଫ୍ରିଜର ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା। ଆଜି ବିକାଶଙ୍କ ମୃତଦେହ ତାଙ୍କ ଜନ୍ମମାଟି ଘୋଟିଆ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ବିକାଶଙ୍କ ଅକାଳ ବିୟୋଗରେ ପୂରା ଗାଁରେ ଶୋକର ଛାୟା ଖେଳିଯାଇଛି। ସେ ନିଜ ପଛରେ ସ୍ତ୍ରୀ ଓ ଏକ ଛୋଟ ପୁଅକୁ ଛାଡ଼ି ଯାଇଥିବାରୁ ଏବେ ଏହି ଗରିବ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛି। ଦୁର୍ଦ୍ଦିନ ସମୟରେ ଗରିବ ଲୋକଙ୍କ ପାଇଁ ଦେବଦୂତ ସାଜି ଶବକୁ ଗାଁକୁ ଆଣିବାର ବ୍ୟବସ୍ଥା କରିଥିବାରୁ ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳବାସୀ “ବିନ୍ଦୁମିନା ସେବା ଫାଉଣ୍ଡେସନ”କୁ ଭୂୟସୀ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.