୩୦ ଜଣ ପିଲାଙ୍କ ପାଇଁ ଶିକ୍ଷାର ନୂଆ ଆଶା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗ୍ରାମରେ ଗଣେଶ ପୂଜା ଅବସରରେ ‘ନବୀନ ଟ୍ୟୁସନ ସେଣ୍ଟର’ ଉଦଘାଟିତ ହୋଇଛି। ପୂର୍ବତନ ମନ୍ତ୍ରୀ ଡ଼ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିକ୍ଷା କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ତୁର୍କା ଗ୍ରାମରେ କୌଣସି ବିଦ୍ୟାଳୟ ନଥିବାରୁ ୪ରୁ ୧୪ ବର୍ଷ ବୟସର ପ୍ରାୟ ୩୦ ଜଣ ପିଲା ଶିକ୍ଷାରୁ ବଞ୍ଚିତ ହେଉଥିଲେ। ଗ୍ରାମଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସ୍କୁଲ ଥିଲେ ମଧ୍ୟ ବଣଜଙ୍ଗଲ ଓ ଚାରିଟି ଘାଟି ଦେଇ ଯାତାୟାତ କରିବା ଛୋଟ ପିଲାମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା। ଫଳରେ କିଛି ପିଲା ହଷ୍ଟେଲରେ ରହି ପାଠ ପଢ଼ୁଥିବା ବେଳେ ଅନ୍ୟ ପିଲାମାନେ ଶିକ୍ଷାରୁ ବଞ୍ଚିତ ହୋଇ ରହିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଗତ ଆଗଷ୍ଟ ୬ ତାରିଖରେ ପୂର୍ବତନ ମନ୍ତ୍ରୀ ଡା. ବଳଭଦ୍ର ମାଝୀ ତୁର୍କା ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ଶିକ୍ଷା ଓ ଅନ୍ୟାନ୍ୟ ସୁବିଧା-ଅସୁବିଧା ନେଇ ଆଲୋଚନା କରିଥିଲେ। ପିଲାମାନଙ୍କ ପାଠପଢ଼ା ସମସ୍ୟାର ଶୀଘ୍ର ସମାଧାନ ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତିକୁ କାର୍ଯ୍ୟରୂପ ଦେଇ ତୁର୍କା ଗ୍ରାମର ପ୍ରଥମ ପାଠ ପଢ଼ୁଆ ଯୁବକ ନବୀନ ମାଝୀଙ୍କ ତତ୍ତ୍ୱାବଧାନରେ ଗଣେଶ ପୂଜା ଦିନ ‘ନବୀନ ଟ୍ୟୁସନ ସେଣ୍ଟର’ ଆରମ୍ଭ କରାଯାଇଛି। ଏହି ଶିକ୍ଷା କେନ୍ଦ୍ରର ସମସ୍ତ ଖର୍ଚ୍ଚ ପୂର୍ବତନ ମନ୍ତ୍ରୀ ଡ଼. ବଳଭଦ୍ର ମାଝୀ ନିଜେ ବହନ କରିବେ ବୋଲି ଜଣାପଡ଼ିଛି।ଗ୍ରାମର ପିଲାମାନଙ୍କୁ ନିଜ ଅଞ୍ଚଳରେ ପାଠପଢ଼ିବାର ସୁଯୋଗ ଦେବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଟ୍ୟୁସନ ସେଣ୍ଟର ଖୋଲିବା ଦ୍ୱାରା ଗ୍ରାମବାସୀ, ଅଭିଭାବକ ଓ ପିଲାମାନଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ଦୁର୍ଗମ ତୁର୍କା ଗ୍ରାମରେ ଶିକ୍ଷାର ଆଲୋକ ପହଞ୍ଚାଇବାର ଏହି ପ୍ରୟାସ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଏକ ନୂଆ ପାହାଚ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି।





