ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରାଚୀନ ପରମ୍ପରା ଅନୁକ୍ରମେ ନୂଆଖାଇ ପାଳନ କରିଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ବୁଢୀପଦରର ଧଙ୍ଗଡାମାଝୀ (କରୁଆଁ ଯାଦବ) ପରିବାର। କେଉଁ ଏକ ସ୍ମରଣାତିତ କାଳରୁ ସିଂହ ରାଶିରେ ସୂର୍ଯ୍ୟ ବଳବାନ ଥିବା ଭାଦ୍ରବ ମାସ ଶୁକ୍ଳପକ୍ଷର କୌଣସି ଏକ ତିଥିରେ ନବାନ୍ନ ଭକ୍ଷଣ କରି ଆସୁଥିଲେ ଏହି ପରିବାର। ତେବେ ଗତ କିଛି ବର୍ଷ ହେଲା ଭାଦ୍ର ଶୁକ୍ଳ ପଞ୍ଚମୀରେ ହିଁ ନୂଆଖାଇ ପାଳିତ ହେଉଛି।
ବଂଶ ପରମ୍ପରା ଅନୁକ୍ରମେ ଆବର୍ତ୍ତ ବିଧିରେ ନବାନ୍ନ ବିଧାନ ସମ୍ପାଦିତ ହୋଇଥିଲା। ଚତୁର୍ଥୀ ରାତିରେ ପିଦରଠାରେ ଇଷ୍ଟଦେବାଦେବୀ ଓ ପିତୃପୁରୁଷଙ୍କୁ ନବାନ୍ନ ପାଇଁ ଆମନ୍ତ୍ରଣ କରା ଯାଇଥିଲା। ପଞ୍ଚମୀ ଦିନ ସକାଳୁ ଘରେ ଧାନରୁ ଚୁରା କୁଣ୍ଡା ପ୍ରସ୍ତୁତ କରାଯିବା ସହ ନବାନ୍ନ ପ୍ରସ୍ତୁତ କରାଯାଇଥିଲା। ପିଦରରେ ନବାନ୍ନ ସମର୍ପଣ କଲା ପରେ ମଧ୍ୟାହ୍ନ ସମୟରେ ପରିବାରର ୫୦ ଜଣ ସଦସ୍ୟ ଏକାଠି ବସି ନୂଆ ଖାଇଥିଲେ। ନୂଆ ଖାଇବା ପରେ ଜୁହାର ଭେଟ ହୋଇଥିଲା। ଏହାପରେ ଘରର ଛୋଟ ଛୋଟ ଶିଶୁମାନଙ୍କୁ ଗୋରସରେ ପାଦ ଧୋଇଦେବା ସହ ବନ୍ଦାପନା କରା ଯାଇଥିଲା। ପରିବାରର ବୟୋଜ୍ୟେଷ୍ଠ ଜଗନ୍ନାଥ ଧଙ୍ଗଡାମାଝୀଙ୍କ ତତ୍ବାବଧାନରେ ସମସ୍ତ ବିଧି ପୂର୍ବ ପରମ୍ପରା ଅନୁକ୍ରମେ ପାଳିତ ହୋଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବୁଢୀପଦର ଧଙ୍ଗଡାମାଝୀ କରୁଆଁ ପରିବାରର ବିସ୍ତୃତ ଐତିହାସିକ ପୃଷ୍ଠଭୂମି ରହିଛି। ଐତିହାସିକ ତଥ୍ୟ ଅନୁସାରେ କଳିଙ୍ଗ ଯୁଦ୍ଧରେ ଯୋଗଦେବାକୁ ଏମାନେ ମଗଧରୁ କଳିଙ୍ଗକୁ ଆସିଥିଲେ। କଳିଙ୍ଗ ଯୁଦ୍ଧ ପରେ ଶାନ୍ତି ପ୍ରତିଷ୍ଠା ହେଲା ଏବଂ ଏହି ଗୋଷ୍ଠୀ ଆଟବିକ ରାଜ୍ୟକୁ ଆସି ବସତି ସ୍ଥାପନ କରି ରହି ଆସୁଛନ୍ତି।

ଏକ ଯୋଦ୍ଧା ଗୋଷ୍ଠୀର ସ୍ବାକ୍ଷର ବହନ କରୁଥିବା କରୁଆଁମାନେ ପରବର୍ତ୍ତୀ ସମୟରେ କୃଷିଜୀବୀ ସମୁଦାୟରେ ପରିବର୍ତ୍ତିତ ହୋଇଛନ୍ତି। ତେଣୁ ସେମାନେ ପ୍ରାଚୀନ ଭାରତୀୟ କୃଷି ସଭ୍ୟତାର ଆଦ୍ୟ ପାର୍ବଣ ନୂଆଖାଇକୁ ସମ୍ମାନର ସହ ପାଳନ କରିଥାନ୍ତି।






