ଆଜି ଘରେ ଘରେ ଜଳିବ ଦୀପଟିଏ!

ସୁଭଦ୍ରା ଯୋଜନାକୁ ଦୁଇ ବର୍ଷ ପୂର୍ତ୍ତି – ନାରୀ ସଶକ୍ତିକରଣ ଓ ସ୍ୱାବଲମ୍ବନର ବାର୍ତ୍ତା

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାକୁ ଆଜି ଦୁଇ ବର୍ଷ ପୂର୍ତ୍ତି ହେଉଛି। ଏହି ଅବସରରେ ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଘରେ ଘରେ ଦୀପ ଜଳାଇବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦିଆଯାଇଛି। ନାରୀଙ୍କ ସଶକ୍ତିକରଣ, ସ୍ୱାଭିମାନ ଓ ଆର୍ଥିକ ସ୍ୱାବଲମ୍ବନର ବାର୍ତ୍ତା ସହ ଏହି ଦିନକୁ ପାଳନ କରିବାକୁ ସରକାର ପକ୍ଷରୁ କୁହାଯାଇଛି। ୨୦୨୪ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ଦୁଇ ବର୍ଷ ମଧ୍ୟରେ ଯୋଜନା ଅଧୀନରେ ୧.୦୩ କୋଟିରୁ ଅଧିକ ମହିଳା ହିତାଧିକାରୀଙ୍କୁ ପାଞ୍ଚଟି କିସ୍ତିରେ ମୋଟ ୨୫,୮୦୦ କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (DBT) ମାଧ୍ୟମରେ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।ଯୋଜନାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ୩୩୮ଟି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ, ରଙ୍ଗୋଲି ପ୍ରତିଯୋଗିତା ଓ ଉତ୍ସବ ଆୟୋଜନ କରାଯାଉଛି। ଏହା ସହ ଆଇସିଡିଏସ୍‌ ପ୍ରକଳ୍ପ, ଅଙ୍ଗନବାଡ଼ି କେନ୍ଦ୍ର ଓ ସିଡିପିଓ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି।

ସୁଭଦ୍ରା ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇ ସେମାନଙ୍କ ଆର୍ଥିକ ସ୍ୱାଧୀନତା ଓ ସ୍ୱାବଲମ୍ବନକୁ ସୁଦୃଢ଼ କରିବା। ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷ ବୟସର ଯୋଗ୍ୟ ମହିଳାଙ୍କୁ ପାଞ୍ଚ ବର୍ଷରେ ମୋଟ ୫୦ ହଜାର ଟଙ୍କା, ପ୍ରତିବର୍ଷ ୧୦ ହଜାର ଟଙ୍କା ଦୁଇଟି କିସ୍ତିରେ ଦିଆଯାଏ।

ଏହି ଅବସରରେ କୋରାପୁଟ ଜିଲ୍ଲାରେ ମଧ୍ୟ ସୁଭଦ୍ରା ହିତାଧିକାରୀ ଓ ମହିଳାମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ସନ୍ଧ୍ୟାରେ ଘର ଅଗଣାରେ ଦୀପ ଜଳାଇ ନାରୀଙ୍କ ସମ୍ମାନ, ସ୍ୱାଭିମାନ ଓ ସ୍ୱାବଲମ୍ବନର ବାର୍ତ୍ତାକୁ ଆଗକୁ ନେବାକୁ ଆହ୍ୱାନ ଦିଆଯାଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ମଧ୍ୟ ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ସଶକ୍ତିକରଣର କଥା ଉଲ୍ଲେଖ କରି ଏହି ଦିନକୁ ପାଳନ କରିବାକୁ ଆହ୍ୱାନ ଜଣାଇଛନ୍ତି। ଆଜି ସନ୍ଧ୍ୟା ୬ଟାରୁ ୭ଟା—ଘରେ ଘରେ ଜଳିବ ଦୀପଟିଏ। ଏହି ଦୀପ କେବଳ ଏକ ଉତ୍ସବର ପ୍ରତୀକ ନୁହେଁ, ବରଂ ନାରୀଙ୍କ ସମ୍ମାନ, ସ୍ୱାଭିମାନ ଓ ସ୍ୱାବଲମ୍ବନର ସନ୍ଦେଶ ବହନ କରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.