ବାଲେଶ୍ୱରରେ ଶୁଭାରମ୍ଭ ହେଲା ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ : ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ସହ ଅଧିକ ଲୋକଙ୍କୁ ଯୋଡ଼ିବା ଉପରେ ଗୁରୁତ୍ୱ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସମବାୟ ଆନ୍ଦୋଳନକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିବା ତଥା ଅଧିକ ସଂଖ୍ୟକ ଲୋକଙ୍କୁ ସମବାୟ ସଂସ୍ଥା ସହ ଯୋଡ଼ିବା ଲକ୍ଷ୍ୟରେ ସମବାୟ ବିଭାଗ ପକ୍ଷରୁ ଆୟୋଜିତ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଶୁକ୍ରବାର ବାଲେଶ୍ୱରରେ ହୋଇଯାଇଛି। ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଅଡିଟୋରିୟମ୍ ହଲ୍‌ରେ ପୂର୍ବାହ୍ନ ୧୧ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଭାବେ ମହାଅଭିଯାନର ଶୁଭାରମ୍ଭ କରିଥିଲେ।

ଭର୍ଚୁଆଲ୍ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ସହ ସଂଯୁକ୍ତ ହୋଇ ମୁଖ୍ୟମନ୍ତ୍ରୀ ‘ସମ୍ବନ୍ଧ’ ଅଭିଯାନର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ବାଲେଶ୍ୱରର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତପନ କୁମାର ଖୁଣ୍ଟିଆ, ବାଲେଶ୍ୱର ଡିଭିଜନର ସମବାୟ ଡେପୁଟି ରେଜିଷ୍ଟ୍ରାର୍ ସରୋଜିନୀ ନାଏକଙ୍କ ସମେତ ସମବାୟ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

‘ସମ୍ବନ୍ଧ’ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ସମବାୟ ସଂସ୍ଥାଗୁଡ଼ିକର ସଦସ୍ୟତା ବୃଦ୍ଧି କରିବା ସହ ସଦସ୍ୟମାନଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା। ସମବାୟ ମାଧ୍ୟମରେ ଲୋକଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣକୁ ଅଧିକ ଗତିଶୀଳ କରିବା ଉପରେ ମଧ୍ୟ ଅଭିଯାନରେ ଗୁରୁତ୍ୱ ଦିଆଯାଉଛି। କାର୍ଯ୍ୟକ୍ରମରେ ସମବାୟ ବିଭାଗର ଅଧିକାରୀମାନେ ଅଭିଯାନର ବିଭିନ୍ନ ଦିଗ, ସଦସ୍ୟତା ପ୍ରକ୍ରିୟା ଏବଂ ଅଧିକ ସଂଖ୍ୟକ ଲୋକଙ୍କୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ବାଲେଶ୍ୱର ଜିଲ୍ଲାରେ ଅଭିଯାନକୁ ସଫଳ କରିବା ପାଇଁ ସମବାୟ ସଂସ୍ଥା, ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକଙ୍କ ସକ୍ରିୟ ସହଯୋଗ ଆହ୍ୱାନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.