ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବିଗତ ବର୍ଷ ପରି ଚଳିତ ବର୍ଷ ୧୨ତମ ରେମୁଣା ନବମାତୃକା ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସଭାପତି ଡକ୍ଟର ଭାଗବତ ପ୍ରସାଦ ଦାସ ଅଧ୍ୟକ୍ଷତା କରିଥିଲେ।
ଶାରଦୀୟ ମହୋତ୍ସବର ମହାନବମୀ ୧୯ ତାରିଖ ପୂର୍ବାହ୍ନରେ ୩୬ ନମ୍ବର ଜୋନର ୭ଟି ପଞ୍ଚାୟତର ମହିୟସୀ ଓ ଗରିୟସୀ ନଅଜଣ ମାଆଙ୍କୁ ଅନୁଷ୍ଠାନର ବିଧିମତେ ପୂଜାର୍ଚ୍ଚନା କରାଯିବ ବୋଲି ସ୍ଥିର କରାଯାଇଛି। ନଅ ଜଣ ମାଆଙ୍କୁ ଚୟନ କରିବା ପାଇଁ ଏକ ଚୟନ କମିଟି ଗଠନ କରାଗଲା। କମିଟିର କୋଷାଧ୍ୟକ୍ଷ ଗତ ବର୍ଷର ଆୟବ୍ୟୟର ବିବରଣୀ ଦେଇଥିବା ବେଳେ ସର୍ବସମ୍ମତି କ୍ରମେ ଗୃହୀତ ହୋଇ ଚଳିତ ବର୍ଷର ଆୟବ୍ୟୟ ଅଟକଳ ଆଲୋଚନା କରାଯାଇଛି।
ମାତୃପୂଜନ ପାଇଁ ଉପଯୁକ୍ତ ସ୍ଥାନ ନିର୍ଦ୍ଧାରଣ ପାଇଁ ବୃନ୍ଦାବନ ବେହେରା, ହରେକୃଷ୍ଣ ଗିରି, ହୀରାଲାଲ ପାକଳ, ଅସିତ୍ ମଙ୍ଗରାଜଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।
ଏହି ବୈଠକରେ ଉପସଭାପତି କମଳାକାନ୍ତ ଦାସ, ସମ୍ପାଦକ ଓ ଆବାହକ ଶିଳ୍ପୀ କେଶୁ ଦାସ, ପ୍ରଭାକର ସାହୁ, ପ୍ରଦୀପ କୁମାର ମିଶ୍ର, ଷ୍ଟାଲିନ ମିଶ୍ର, ରମେଶ ଚନ୍ଦ୍ର ମହାରଣା, ମାନସୀ ରାଣୀ ବେହେରା, ଅଜିତ୍ କୁମାର ପଣ୍ଡା, ଅଜୟ କୁମାର ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ କମିଟିର ସକ୍ରିୟ ସଦସ୍ୟା ସୁନାମଣି ଜେନା ଧନ୍ୟବାଦ ଅର୍ପଣ କରିଥିଲେ।





