ଆଗାମୀ ଶାରଦୀୟ ଦୁର୍ଗାପୂଜାକୁ ନେଇ ଟିପିଏନଓଡିଏଲ୍‌ର ବ୍ୟାପକ ପ୍ରସ୍ତୁତି

ସୁରକ୍ଷିତ ବିଦ୍ୟୁତ୍ ବ୍ୟବହାର ପାଇଁ ପୂଜା କମିଟିକୁ ପରାମର୍ଶ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍ତର ଓଡ଼ିଶାରେ ଆଗାମୀ ଶାରଦୀୟ ଦୁର୍ଗାପୂଜାକୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ବଡ଼ ବଡ଼ ପୂଜା ମଣ୍ଡପ, ଆଲୋକସଜ୍ଜା ଓ ବିଭିନ୍ନ ଉତ୍ସବୀୟ କାର୍ଯ୍ୟକ୍ରମ ପାଇଁ ବିଦ୍ୟୁତ୍ ଚାହିଦା ବଢ଼ିବାକୁ ଦୃଷ୍ଟିରେ ରଖି ଟିପିଏନଓଡିଏଲ୍ ପକ୍ଷରୁ ଅଞ୍ଚଳରେ ବିଦ୍ୟୁତ୍ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସହିତ ପୂଜା ସମୟରେ ବିଦ୍ୟୁତ୍ ଦୁର୍ଘଟଣା ଏଡ଼ାଇବା ପାଇଁ ପୂଜା କମିଟି ଓ ଆୟୋଜକମାନଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଇଛି। ପୂଜା ମଣ୍ଡପଗୁଡ଼ିକରେ ବଢ଼ୁଥିବା ବିଦ୍ୟୁତ୍ ଆବଶ୍ୟକତା ଓ ଅସ୍ଥାୟୀ ବିଦ୍ୟୁତ୍ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଟିପିଏନଓଡିଏଲ୍ ପକ୍ଷରୁ ପୂଜା କମିଟି, ସ୍ଥାନୀୟ ପ୍ରଶାସନ ଓ କ୍ଷେତ୍ରସ୍ତରୀୟ ଟିମ୍‌ଗୁଡ଼ିକ ସହ ସମନ୍ୱୟ ରଖାଯାଉଛି। ଅନୁମୋଦିତ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ପ୍ରଦାନ ସହ ସୁରକ୍ଷିତ ବିଦ୍ୟୁତ୍ ବ୍ୟବହାର ନେଇ ମଧ୍ୟ ସଚେତନ କରାଯାଉଛି। ପୂଜା କମିଟିଗୁଡ଼ିକୁ ନିଜର ପ୍ରକୃତ ବିଦ୍ୟୁତ୍ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଧାରିତ ପ୍ରକ୍ରିୟାରେ ଅନୁମୋଦିତ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ପାଇଁ ଆଗୁଆ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି। ଏ ସମ୍ପର୍କିତ ସହାୟତା ପାଇଁ ଟିପିଏନଓଡିଏଲ୍‌ର ଗ୍ରାହକ ସେବା ନମ୍ବର ୧୯୧୨ / ୧୮୦୦-୩୪୫୬-୭୧୮ରେ ଯୋଗାଯୋଗ କରିବା, ଟିପିଏନଓଡିଏଲ୍‌ର ୱେବସାଇଟ୍ କିମ୍ବା ନିକଟସ୍ଥ ବିଦ୍ୟୁତ୍ କାର୍ଯ୍ୟାଳୟରେ ସମ୍ପର୍କ କରିବାକୁ କୁହାଯାଇଛି। ଏଥିସହିତ ଅନୁମୋଦନବିହୀନ ବିଦ୍ୟୁତ୍ ସଂଯୋଗ, ଅତ୍ୟଧିକ ଲୋଡ୍ ବ୍ୟବହାର କିମ୍ବା ବିଦ୍ୟୁତ୍ ବ୍ୟବସ୍ଥାରେ କୌଣସି ଅନଧିକୃତ ପରିବର୍ତ୍ତନ ନକରିବାକୁ ଆୟୋଜକମାନଙ୍କୁ ଟିପିଏନଓଡିଏଲ୍ ପକ୍ଷରୁ ଅନୁରୋଧ କରାଯାଇଛି।

ଏହି ଅବସରରେ ଟିପିଏନଓଡିଏଲ୍‌ର ସିଇଓ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି, “ଦୁର୍ଗାପୂଜା ପରିବାର ଓ ସମାଜକୁ ଏକାଠି କରୁଥିବା ଏକ ମହତ୍ୱପୂର୍ଣ୍ଣ ପର୍ବ। ଏହି ଉତ୍ସବ ଯେପରି ସୁରକ୍ଷିତ ଓ ନିରବଚ୍ଛିନ୍ନ ଭାବେ ପାଳିତ ହୁଏ, ତାହା ନିଶ୍ଚିତ କରିବା ଆମର ପ୍ରାଥମିକତା। ପୂଜା କମିଟିଗୁଡ଼ିକ ଅନୁମୋଦିତ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ନେବା ସହ ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡ ଅନୁଯାୟୀ ଓ ଉପଯୁକ୍ତ ସତର୍କତା ସହ ବିଦ୍ୟୁତ୍ ବ୍ୟବସ୍ଥା କରିବା ନିତାନ୍ତ ଆବଶ୍ୟକ। ସୁରକ୍ଷିତ ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ପାଇଁ ଆମେ ପୂଜା ଆୟୋଜକ ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟରେ ପ୍ରସ୍ତୁତି ଜାରି ରଖିଛୁ।”

ଟିପିଏନଓଡିଏଲ୍ ପକ୍ଷରୁ ପୂଜା କମିଟିଗୁଡ଼ିକୁ ବିଦ୍ୟୁତ୍ ବ୍ୟବସ୍ଥାର ସ୍ଥାପନା ଓ ରକ୍ଷଣାବେକ୍ଷଣ ପାଇଁ ଯୋଗ୍ୟ ଓ ଅଭିଜ୍ଞ ବିଦ୍ୟୁତ୍ କର୍ମଚାରୀଙ୍କ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ତାରଗୁଡ଼ିକର ଉପଯୁକ୍ତ ଇନ୍‌ସୁଲେସନ୍ ଓ ସୁରକ୍ଷିତ ୱାୟାରିଂ କରିବା ସହ ବିଦ୍ୟୁତ୍ ଉପକରଣକୁ ପାଣି ଓ ଅନ୍ୟାନ୍ୟ ବିପଦ ସମ୍ଭାବନା ଥିବା ସ୍ଥାନ ଠାରୁ ଦୂରରେ ରଖିବାକୁ କୁହାଯାଇଛି। ପୂଜା ମଣ୍ଡପକୁ ଓଭରହେଡ୍ ବିଦ୍ୟୁତ୍ ତାର ଓ ଅନ୍ୟାନ୍ୟ ବିଦ୍ୟୁତ୍ ଭିତ୍ତିଭୂମିଠାରୁ ନିରାପଦ ଦୂରତାରେ ନିର୍ମାଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଉତ୍ସବ ସମୟରେ ନିୟମିତ ଭାବେ ବିଦ୍ୟୁତ୍ ବ୍ୟବସ୍ଥା ଯାଞ୍ଚ କରିବା ସହ ପୂଜା ମଣ୍ଡପ ପରିସରରେ ଅଗ୍ନି ନିର୍ବାପକ ଯନ୍ତ୍ର, ଜରୁରୀକାଳୀନ ସେବା ପାଇଁ ପର୍ଯ୍ୟାପ୍ତ ପ୍ରବେଶ ପଥ ଏବଂ ସୁରକ୍ଷିତ ନିର୍ଗମ ବ୍ୟବସ୍ଥା ରଖିବାକୁ ପୂଜା କମିଟିଗୁଡ଼ିକୁ କୁହାଯାଇଛି।

ଅନ୍ୟପକ୍ଷରେ, ଗ୍ରାହକ ଓ ପୂଜା ମଣ୍ଡପକୁ ଆସୁଥିବା ଲୋକମାନଙ୍କୁ କ୍ଷତିଗ୍ରସ୍ତ, ଖୋଲା କିମ୍ବା ସ୍ପାର୍କିଂ ହେଉଥିବା ବିଦ୍ୟୁତ୍ ତାର ଓ ଉପକରଣକୁ ନଛୁଇଁବାକୁ ପରାମର୍ଶ ଦିଆଯାଇଛି। ଏଭଳି କୌଣସି ବିପଜ୍ଜନକ ପରିସ୍ଥିତି ନଜରକୁ ଆସିଲେ ତୁରନ୍ତ ଟିପିଏନଓଡିଏଲ୍‌ର ୨୪ ଘଣ୍ଟିଆ କଲ୍ ସେଣ୍ଟର ୧୯୧୨ / ୧୮୦୦-୩୪୫୬-୭୧୮ ନମ୍ବରରେ କିମ୍ବା ନିକଟସ୍ଥ ବିଦ୍ୟୁତ୍ କାର୍ଯ୍ୟାଳୟରେ ଜଣାଇବାକୁ କୁହାଯାଇଛି।କାର୍ଯ୍ୟକ୍ଷେତ୍ରରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଟିପିଏନଓଡିଏଲ୍ ଉତ୍ତର ଓଡ଼ିଶାରେ ନିରାପଦ, ନିର୍ଭରଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ପାଇଁ ପ୍ରତିବଦ୍ଧ ଥିବା କହିଛି। ସ୍ଥାନୀୟ ପ୍ରଶାସନ ଓ ବିଭିନ୍ନ ଅଂଶୀଦାରଙ୍କ ସହ ନିରନ୍ତର ସମନ୍ୱୟ ମାଧ୍ୟମରେ ଉତ୍ତର ଓଡ଼ିଶାର ଲୋକମାନେ ଯେପରି ସୁରକ୍ଷିତ ଓ ଦାୟିତ୍ୱଶୀଳ ଭାବେ ଦୁର୍ଗାପୂଜା ପାଳନ କରିପାରିବେ, ସେଥିପାଇଁ ପ୍ରସ୍ତୁତି ଜାରି ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.