କାର୍-ବାଇକ୍ ମୁହାଁମୁହିଁ ଧକ୍କା: ଦମ୍ପତି ଗୁରୁତର

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): କୋଲନରା ବ୍ଲକ୍ ବାଙ୍କିଲି ପଞ୍ଚାୟତ ୩୨୬ ନମ୍ବର ଜାତୀୟ ରାଜପଥର ବଡ଼ ଚମ୍ପିଆ ଗ୍ରାମ ନିକଟରେ ଏକ କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ପରେ ଆହତ ଦମ୍ପତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ରାମନାଗୁଡା ଗୋଷ୍ଠୀ ଚିକିତ୍ସାଳୟ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଦୁର୍ଘଟଣା ପରେ କାର ଚାଳକ ଫେରାର ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ବିଷମକଟକ ବ୍ଲକ ଉରଲାଯୋଡି ଗ୍ରାମର ମନୁ କୌଶଲ୍ୟା ଓ ତାଙ୍କ ପତ୍ନୀ ଅମ୍ବିକା କୌଶଲ୍ୟା (ଓଡ଼ି ୧୮ କ୍ୟୁ ୭୮୮୬) ନମ୍ବର ବାଇକ୍ ଯୋଗେ କୌଣସି କାମରେ ରାୟଗଡ଼ା ଯାଇ ବିଷମକଟକ ଅଭିମୁଖେ ଫେରୁଥିବା ବେଳେ ବାଙ୍କିଲି ପଞ୍ଚାୟତର ବଡ ଚମ୍ପିଆ ଗ୍ରାମ ନିକଟରେ (ଏପି୩୯ ଏଚ୍ ବି ୬୪୫୫) ନମ୍ବର ବିଶିଷ୍ଟ ଏକ କାର ସହ ତାଙ୍କ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣା ପରେ କାର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାରୁ ତାଙ୍କ ସମ୍ପର୍କରେ ତତ୍କାଳ କୌଣସି ସୂଚନା ମିଳିପାରି ନାହିଁ । ଖବର ପାଇ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ଚନ୍ଦନ କୁମାର ମହାପାତ୍ର ଓ କନେଷ୍ଟବଳ ରାମକୃଷ୍ଣ ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଆହତ ଦମ୍ପତିଙ୍କୁ ଆମ୍ବୁଲାନ୍ସ ଯୋଗେ ରାମନାଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ତେବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସେଠାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଘଟଣା ପରେ ଫାଣ୍ଡି ଅଧିକାରୀ ଶ୍ରୀ ମହାପାତ୍ର ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.