ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକଙ୍କ ସମେତ କର୍ମୀ ଥାନାରେ ଅଟକ
ଓଡ଼ିଆ ବାର୍ତ୍ତା/ କୋରାପୁଟ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କୋରାପୁଟ ଗସ୍ତ ପୂର୍ବରୁ ଜିଲ୍ଲାର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ରୂପକ ତୁରୁକ ଏବଂ ଟାଉନ୍ କଂଗ୍ରେସ ସଭାପତି ଜୟନ୍ତ କଚିମ୍ଙ୍କ ସମେତ କେତେକ କଂଗ୍ରେସ କର୍ମୀଙ୍କୁ ପୁଲିସ କୋରାପୁଟ ଟାଉନ୍ ଥାନାରେ ଅଟକ ରଖିଥିବା ଅଭିଯୋଗ ହୋଇଛି। ଅଟକ ପରେ ଭିଡିଓ ମାଧ୍ୟମରେ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ବିଜେପି ସରକାର ଆସିବା ପରେ ଦେଶର ଅର୍ଥନୀତି ଧ୍ୱଂସମୁଖୀ ହୋଇପଡ଼ିଛି, ରୋଜଗାର ସୁଯୋଗ ନାହିଁ ଏବଂ ଯୁବକ-ଯୁବତୀମାନେ ନିଯୁକ୍ତିରୁ ବଞ୍ଚିତ ହେଉଛନ୍ତି। ସେହିପରି ରାଜ୍ୟରେ ମୋହନ ସରକାର ଆସିବା ପରେ କେଉଁ ଉନ୍ନତି ହୋଇଛି, ତାହା ରାଜ୍ୟବାସୀ ନିଜେ ଜାଣିଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି। ସେ ଆହୁରି ପ୍ରଶ୍ନ ଉଠାଇଛନ୍ତି ଯେ, ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଭୟ କାହିଁକି? ଜଣେ ରାଜନୈତିକ ଦଳର ଜିଲ୍ଲା ସଭାପତିଙ୍କୁ ଥାନାରେ ଅଟକ ରଖିବା ଘଟଣାକୁ ସେ ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ ଏବଂ ବିରୋଧୀଙ୍କ କଣ୍ଠରୋଧର ଚେଷ୍ଟା ବୋଲି ଅଭିହିତ କରିଛନ୍ତି। ରାଜନାଥ ସିଂଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କଂଗ୍ରେସ ନେତା ଓ କର୍ମୀଙ୍କୁ ଥାନାରେ ଅଟକ ରଖାଯିବା ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ଆଲୋଚନା ଆରମ୍ଭ ହୋଇଛି। କଂଗ୍ରେସ ପକ୍ଷରୁ ଏହି ଅଟକ ଘଟଣାକୁ ନେଇ ଜୋରଦାର ପ୍ରତିବାଦ ଜଣାଯାଇଛି। ଦଳ ପକ୍ଷରୁ ଏହାକୁ ରାଜନୈତିକ ପ୍ରତିଶୋଧ ଏବଂ ବିରୋଧୀ ସ୍ୱରକୁ ଦମନ କରିବାର ଚେଷ୍ଟା ବୋଲି ଅଭିଯୋଗ କରାଯାଇଛି। ତେବେ ପୁଲିସ ପକ୍ଷରୁ ଅଟକର କାରଣ ସମ୍ପର୍କରେ ଆନୁଷ୍ଠାନିକ ଭାବେ କ’ଣ କୁହାଯାଇଛି, ତାହା ସ୍ପଷ୍ଟ ହେବା ବାକି ରହିଛି। ରାଜନାଥ ସିଂଙ୍କ ଗସ୍ତକୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ସମୟରେ ଏହି ଅଟକ ଘଟଣା ଆଗକୁ କେଉଁ ରାଜନୈତିକ ମୋଡ଼ ନେଉଛି, ତାହା ଉପରେ ଏବେ ନଜର।





