ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସାପାଲି ଗ୍ରାମପଞ୍ଚାୟତର ତେଲ ନଦୀ ତଳୁଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରି ବ୍ୟାପକ ଚାଷଜମି ଜଳମଗ୍ନ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଚଳିତ ଖରିଫ ଋତୁର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଦାବି କରି ତୁରନ୍ତ କ୍ଷୟକ୍ଷତିର ସର୍ଭେ କରିବା ସହ ଯୋଗ୍ୟ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଗୋଲାମୁଣ୍ଡା ବିଡିଓଙ୍କ ନିକଟରେ ଦାବିପତ୍ର ଦିଆଯାଇଛି। ଦାବିପତ୍ରରେ ଦର୍ଶାଯାଇଛି ଯେ, ତେଲ ନଦୀର ବନ୍ୟାଜଳ ଯୋଗୁଁ ନଦୀ ତଳୁଆ ଅଞ୍ଚଳର ବହୁ ଚାଷଜମି ଜଳମଗ୍ନ ହୋଇଛି। ଫଳରେ ଧାନ ଫସଲ କ୍ଷତିଗ୍ରସ୍ତ ହେବା ସହ ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ଦାବି କରାଯାଇଛି। କୃଷି ଉପରେ ନିର୍ଭରଶୀଳ ପରିବାରଗୁଡ଼ିକ ଏହାଦ୍ୱାରା ପ୍ରଭାବିତ ହୋଇଥିବାରୁ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ ଆବଶ୍ୟକ ବୋଲି ଦାବି ହୋଇଛି। କ୍ଷୟକ୍ଷତିର ବାସ୍ତବ ଚିତ୍ର ଜାଣିବା ପାଇଁ ରାଜସ୍ୱ ଓ କୃଷି ବିଭାଗର ଅଧିକାରୀଙ୍କୁ ନେଇ ମିଳିତ କ୍ଷେତ୍ରସ୍ତରୀୟ ସର୍ଭେ କରିବା, କ୍ଷତିଗ୍ରସ୍ତ ଚାଷୀଙ୍କ ନାମ, ଚାଷଜମିର ପରିମାଣ ଓ ଫସଲ କ୍ଷତିର ବିବରଣୀ ସଂଗ୍ରହ କରି ସର୍ଭେ ରିପୋର୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପଠାଇବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ସେହିପରି ସରକାରୀ ନିୟମ ଓ ଯୋଗ୍ୟତା ଅନୁଯାୟୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ କ୍ଷତିପୂରଣ କିମ୍ବା ଇନପୁଟ୍ ସବସିଡି ପ୍ରଦାନ, ଫସଲ ବୀମାଭୁକ୍ତ ଚାଷୀଙ୍କ ବୀମା ଦାବି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ପୁନଃଚାଷ ସମ୍ଭବ ଥିବା ଜମି ପାଇଁ ଆବଶ୍ୟକ ବିହନ, ସାର ଓ କୃଷି ପରାମର୍ଶ ଯୋଗାଇଦେବାକୁ ମଧ୍ୟ ଦାବି କରାଯାଇଛି। ଏଥିସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ନିୟମାନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଦାବିପତ୍ରର ଅନୁଲିପି ଗୋଲାମୁଣ୍ଡା ତହସିଲଦାର ଓ ବ୍ଲକ କୃଷି ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ପିତବାସ ବେହେରା, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ଗିରିଧାରୀ ତେଜି, ଉପସଭାପତି ଯୁଧିଷ୍ଟିର ଗଉଡ଼, ସାଧାରଣ ସମ୍ପାଦକ ତ୍ରିପୁରା ନାୟକ, ଗୋଲାମୁଣ୍ଡା ବ୍ଲକ ସଭାପତି ରେବା କଟା ଓ ସହସମ୍ପାଦକ ସଦାଶିବ ବେମାଲଙ୍କ ସମେତ ରେଙ୍ଗସାପାଲି ଗ୍ରାମର କ୍ଷତିଗ୍ରସ୍ତ ଚାଷୀମାନେ ଉପସ୍ଥିତ ଥିଲେ। ସେମାନେ ଗୋଲାମୁଣ୍ଡା ବିଡିଓ ତ୍ରିପୁରା ମହାନନ୍ଦଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।





