ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ାରେ ଗ୍ରାମବାସୀଙ୍କ ଆନୁକୂଲ୍ୟରେ କରମସାନି ପୂଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୌନ୍ତିଆ ଅନ୍ତର୍ଯ୍ୟାମୀ ରାଜପଲିଆ ଏଥିରେ କର୍ତ୍ତା ରହିଥିଲେ। ଝାଙ୍କର ସୁଧୀର ପୁଟେଲ ପୂଜାର୍ଚ୍ଚନା କରିଥିଲେ। ବରଗଡ ଜିଲ୍ଲା କଣ୍ଟାପାଲିର ନରେଶ ଭୋଇ ଏବଂ ସାଥି ତଥା ଦନ୍ଦ୍ରାବାହାଲର ଭେଙ୍କଟ ଦାସ ଏବଂ ସାଥି ମାନ୍ଦଲର ତାଳେ ତାଳେ କରମା ପରିବେଷଣ କରିଥିଲେ। ଗୁରୁବାର ପୂର୍ବାହ୍ନରେ ମା’ କରମସାନିଙ୍କ ଗ୍ରାମ ପରିକ୍ରମା ହୋଇଥିବା ବେଳେ ମହିଳାମାନେ ନିଜ ନିଜ ଘର ସମ୍ମୁଖରେ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ମା’ଙ୍କ ଗ୍ରାମ ପରିକ୍ରମା କାଳରେ କେନ୍ଦୁଉଡ଼ାରର ଯୁଧିଷ୍ଠିର ଦଲପେତ ଓ ସାଥି ମା’ କରମସାନିଙ୍କ ବନ୍ଦନା ଗାନ କରିଥିଲେ। ଗ୍ରାମବାସୀ ପୂଜା ପରିଚାଳନାରେ ସହଯୋଗ କରିଥିଲେ। କରମସାନିଙ୍କ ପୂଜା ଅନୁଷ୍ଠାନ ଫଳରେ ଚାଷୀଙ୍କ ଫସଲରେ ରୋଗ ପୋକ ଦୂର ହେବା ସହ ଭଲ ଅମଳ ହୁଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।





