ପାହାଡ଼ କାଟି ନିଜ ଶ୍ରମରେ ତିଆରି କଲେ ଭଲିବଲ୍ ପଡ଼ିଆ; ଏବେ ପ୍ରଶାସନର ସହଯୋଗକୁ ଅପେକ୍ଷା
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଖେଳ ପ୍ରତି ଆଗ୍ରହ ଅଛି, ହେଲେ ଗ୍ରାମରେ ନାହିଁ ଖେଳ ପଡ଼ିଆ। ସରକାରୀ ସହାୟତାକୁ ଅପେକ୍ଷା ନକରି ନିଜ ଶ୍ରମ ଓ ଅର୍ଥରେ ପାହାଡ଼ କାଟି ଭଲିବଲ୍ ପଡ଼ିଆ ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି ରାଜପୁତ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁଖୀବିଦାଇ ଗ୍ରାମର ଯୁବକମାନେ। ପ୍ରାୟ ୧୦ ଦିନ ଧରି ଯୁବକମାନେ ଶ୍ରମଦାନ କରି ପାହାଡ଼ କାଟି ଜମିକୁ ସମତଳ କରିବା ସହ ନିଜ ଖର୍ଚ୍ଚରେ ଭଲିବଲ୍ ପଡ଼ିଆ ତିଆରି କରିଛନ୍ତି। ଶିବ ପାଙ୍ଗୀ, ବନ୍ଧୁ ମୁଣ୍ଡଗଡ଼ିଆ, ନିରଞ୍ଜନ ମାଝୀ, ଅନିଲ ହନ୍ତାଳ, ହରେଶ ବାରିକ, ସୁନୀଲ କୁଲଦୀପ, କିଶୋର କୁଲଦୀପ, ବାବୁଲା ଖେମୁଣ୍ଡୁ, ପିତୁ ଭାଲୁ, କୁଷ ଖେଣ୍ଡୁ ଓ ଅନନ୍ତ ପାଟୁଙ୍କ ସମେତ ଗ୍ରାମର ଯୁବକମାନଙ୍କ ମିଳିତ ପ୍ରୟାସରେ ଏହି କାର୍ଯ୍ୟ ସଫଳ ହୋଇଛି। ଡମ୍ବ, ପରଜା ଓ ରାଣା ସାହିର ଯୁବକମାନଙ୍କ ମଧ୍ୟରେ ଥିବା ଭାଇଚାରା ମଧ୍ୟ ଏହି ଉଦ୍ୟମକୁ ସଫଳ କରିଛି।
ଯୁବକ ତିଆରି କଲେ ପଡ଼ିଆ, ଏବେ ପ୍ରଶାସନର ପାଳି
ଯେଉଁ ଖେଳ ପଡ଼ିଆ ପାଇଁ ଗ୍ରାମବାସୀ ସରକାରୀ ସହାୟତା ଆଶା କରୁଥିଲେ, ସେଠାରେ ଯୁବକମାନେ ନିଜ ଉଦ୍ୟମରେ ପାହାଡ଼ କାଟି ପଡ଼ିଆ ନିର୍ମାଣ କରିଛନ୍ତି। ଏବେ ଏହି ପଡ଼ିଆକୁ ସ୍ଥାୟୀ ଓ ଉପଯୋଗୀ ଖେଳ ଭିତ୍ତିଭୂମିରେ ପରିଣତ କରିବା ଦାୟିତ୍ୱ ପ୍ରଶାସନର। ଗ୍ରାମରେ ଏକ ସ୍ଥାୟୀ ବହୁମୁଖୀ ଖେଳ ପଡ଼ିଆ, ଆଲୋକ ବ୍ୟବସ୍ଥା ଓ ଆବଶ୍ୟକ ଖେଳ ସାମଗ୍ରୀ ଯୋଗାଇ ଦିଆଗଲେ ଯୁବକମାନେ ନିୟମିତ ଅଭ୍ୟାସ କରିବା ସହ ପ୍ରତିଭା ବିକାଶର ସୁଯୋଗ ପାଇପାରିବେ। ତେଣୁ ନିଜ ଶ୍ରମରେ ପଡ଼ିଆ ଗଢ଼ିଥିବା ଏହି ଯୁବକମାନଙ୍କ ପାଇଁ ପ୍ରଶାସନ ଏବେ କ’ଣ ପଦକ୍ଷେପ ନେବ? ଏହା ଏବେ ଗ୍ରାମବାସୀଙ୍କ ପ୍ରଶ୍ନ। ସମାଜସେବୀ ଆଶିଷ ଭାଲୁ ଯୁବକମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଗ୍ରାମରେ ସ୍ଥାୟୀ ବହୁମୁଖୀ ଖେଳ ପଡ଼ିଆ ନିର୍ମାଣ ଓ ଯୁବକମାନଙ୍କୁ ଖେଳ ସାମଗ୍ରୀ ଓ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇବା ପାଇଁ ପ୍ରଶାସନ ନିକଟରେ ଦାବି ରଖିବେ ବୋଲି କହିଛନ୍ତି। ମୁଖୀବିଦାଇର ଯୁବକମାନେ ନିଜ ଶ୍ରମରେ ଯେଉଁ ପଡ଼ିଆର ଭିତ୍ତି ଗଢ଼ିଛନ୍ତି, ତାହାକୁ ସ୍ଥାୟୀ ରୂପ ଦେଇ ଯୁବ ପ୍ରତିଭାକୁ ଆଗକୁ ନେବାରେ ପ୍ରଶାସନ କେବେ ଆଗେଇ ଆସୁଛି, ଏବେ ତାହା ଉପରେ ନଜର।





