କାନକୁଟ୍ରୁରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ଓ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ, ଯନ୍ତ୍ରମାନବ ପରୀକ୍ଷାଗାର ଉଦ୍‌ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। କାନକୁଟ୍ରୁ କ୍ଲଷ୍ଟର ଅଧୀନ ୧୬ଟି ବିଦ୍ୟାଳୟର ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତା ଓ ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। କାନକୁଟ୍ରୁ କ୍ଲଷ୍ଟର ଭାରପ୍ରାପ୍ତ ସଂଯୋଜକ ସୌଭାଗ୍ୟ ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କାନକୁଟ୍ରୁ ପଞ୍ଚାୟତ ସରପଞ୍ଚ ବନମାଳୀ ମାଝୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବୀରେନ୍ଦ୍ର ପ୍ରଧାନୀ, ଭଦ୍ରବ୍ୟକ୍ତି ତିଳେକରାମ ମାଝୀ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ବିଦ୍ୟାଳୟର ନବନିର୍ମିତ ଯନ୍ତ୍ରମାନବ ପରୀକ୍ଷାଗାର ଉଦ୍‌ଘାଟନ କରିଥିଲେ। ଏହି ପରୀକ୍ଷାଗାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ପ୍ରତି ଆଗ୍ରହ ବୃଦ୍ଧି ସହ ବ୍ୟବହାରିକ ଜ୍ଞାନର ବିକାଶରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଥିଲା। ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଦାଶଙ୍କ ସଭାପତିତ୍ବ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ସାହୁ,ମ୍ପାଦେଇପୁର କ୍ଲଷ୍ଟର ସଂଯୋଜକ ବିନୋଦ ମହାରଣା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିକ୍ଷୟିତ୍ରୀ ନିବେଦିତା ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ କେ. ଯୁଧିଷ୍ଠିର ପାତ୍ର ମଞ୍ଚ ପରିଚାଳନା କରିଥିଲେ।ମହୋତ୍ସବରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରତିଭା ପ୍ରଦର୍ଶନ ଓ ପ୍ରତିଯୋଗିତା ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ, ସୃଜନଶୀଳତାର ବିକାଶ ଓ ଆତ୍ମବିଶ୍ୱାସ ବୃଦ୍ଧି ଦିଗରେ ‘ସୁରଭି’ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ଶିକ୍ଷକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.