ବୋହୁଙ୍କୁ ପେଟ୍ରୋଲ ଢାଲି ମାରିବାକୁ ଉଦ୍ୟମ: ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅଞ୍ଚଳରୁ ଏକ ଅତ୍ୟନ୍ତ ନୃଶଂସ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ଦାବି କରି ନିଜ ବୋହୁଙ୍କୁ ଶାଶୁ, ଶ୍ୱଶୁର ଓ ନଣନ୍ଦ ମିଶି ପେଟ୍ରୋଲ ଢାଲି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗୁରୁତର ଆହତ ବୋହୁଙ୍କୁ ପ୍ରଥମେ ଭବାନିପାଟଣା ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ, ୨୦୨୧ ମସିହାରେ କୋକସରା ଥାନା ଅଧୀନ ଡହଗାଁ ଗ୍ରାମର ଶଙ୍କର ପ୍ରସାଦ ନାଏକଙ୍କ ଝିଅ ଗୀତାଞ୍ଜଳୀଙ୍କ ସହ ଗୋତମୁଣ୍ଡା ଗ୍ରାମର ପବିତ୍ର ଲହଜଲଙ୍କ ପୁଅ ଲକ୍ଷ୍ମଣଙ୍କର ବାହାଘର ହୋଇଥିଲା। ହେଲେ ବିବାହ ପରଠାରୁ ଯୌତୁକକୁ ନେଇ ଚାଲିଥିଲା ଅମାନୁଷିକ ଶାରିରୀକ ଓ ମାନସିକ ନିର୍ଯ୍ୟାତନା। କିଛି ଦିନ ତଳେ ଗୀତାଞ୍ଜଳୀଙ୍କ ଉପରେ ଗରମ ପାଣି ପକାଇ ଦିଆଯାଇଥିବା ବେଳେ ଗ୍ରାମରେ ସାମାଜିକ ସମାଧାନ ମଧ୍ୟ ହୋଇଥିଲା। ଶନିବାର ପୁଣି ଯୌତୁକ ପ୍ରସଙ୍ଗକୁ ନେଇ ଶ୍ୱଶୁର ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିବା ବେଳେ ଶାଶୁ ନୀରବଦ୍ରଷ୍ଟା ସାଜିଥିଲେ ଏବଂ ନଣନ୍ଦମାନେ ମଧ୍ୟ ଏଥିରେ ସହଯୋଗ କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଏନେଇ ଆହତ ଯୁବତୀଙ୍କ ବାପା ରବିବାର ଆମପାଣି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଶାଶୁ ଓ ଶ୍ୱଶୁରଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.