ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଅନ୍ୟା ଦାସ। ତାଙ୍କର ଏହି ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ପ୍ରଶାସନିକ ମହଲରେ ନୂତନ ଉତ୍ସାହ ଦେଖିବାକୁ ମିଳିଛି। ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଶ୍ରୀମତୀ ଦାସ ଆନୁଷ୍ଠାନିକ ଭାବେ ଜିଲ୍ଲାର କର୍ତ୍ତୃତ୍ୱ ଗ୍ରହଣ କରିଛନ୍ତି। ଜଣେ କର୍ତ୍ତବ୍ୟନିଷ୍ଠ ପ୍ରଶାସକ ଭାବେ ପରିଚିତ ଶ୍ରୀମତୀ ଦାସଙ୍କ ଯୋଗଦାନ ପରେ ଜିଲ୍ଲାରେ ପ୍ରଶାସନିକ କାର୍ଯ୍ୟଧାରାରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ତାଙ୍କର ମୂଳ ଲକ୍ଷ୍ୟ ରହିବ ବୋଲି ସେ ସୂଚନା ଦେଇଛନ୍ତି। ବିଶେଷ କରି ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକର ସଫଳ ଓ ସ୍ୱଚ୍ଛ ରୂପାୟନ, ଦୂରଦୂରାନ୍ତରୁ ଆସୁଥିବା ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ଉପରେ ସେ ଅଧିକ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି।
ସେହିପରି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣକାରୀ ଯୋଜନାଗୁଡ଼ିକ ଯେପରି ପ୍ରକୃତ ହିତାଧିକାରୀଙ୍କ ପାଖରେ ସଠିକ୍ ଭାବେ ପହଞ୍ଚିପାରିବ ଏବଂ ଜନସାଧାରଣଙ୍କୁ ସ୍ୱଚ୍ଛ ତଥା ଉନ୍ନତ ପ୍ରଶାସନିକ ସେବା ମିଳିପାରିବ, ସେ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ। ନୂତନ ଜିଲ୍ଲାପାଳଙ୍କ ଏଭଳି କର୍ତ୍ତବ୍ୟନିଷ୍ଠ ଏବଂ ଜନମୁଖୀ ପଦକ୍ଷେପ ଦ୍ୱାରା ନୂଆପଡ଼ା ଜିଲ୍ଲାର ପ୍ରଗତି ଓ ବିକାଶମୂଳକ ଧାରା ଆହୁରି ଅଧିକ ଗତିଶୀଳ ହେବ ବୋଲି ଜିଲ୍ଲାର ବୁଦ୍ଧିଜୀବୀ ଓ ସାଧାରଣ ଜନତା ଆଶା ଏବଂ ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି।





