ବାଲିଯାତ୍ରାରେ ଛୁରାମାଡ଼ ଘଟଣା, ୨ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକ୍‌ ଅନ୍ତର୍ଗତ ଶିକରପାଇ ବାଲିଯାତ୍ରାରେ ଛୁରାମାଡ଼ ଘଟଣାରେ କଲ୍ୟାଣସିଂହପୁର ପୁଲିସ ୩ଜଣଙ୍କୁ ଅଟକ ରଖି ପଚରା ଉଚୁରା ପରେ ଦୁଇଜଣକୁ କୋର୍ଟ ଚାଲାଣ କରିଛି । ମୁଖ୍ୟ ଅଭିଯୁକ୍ତ ହେଲେ କୃଷ୍ଣ ମିଣିଆକା ଓ ତାଙ୍କ ସୋହଯୋଗୀ ବାବାରାଓ ମିଣିଆକା ବୋଲି ପୋଲିସ ସୂଚନାରୁ ଜଣାପଡିଛି । ଘଟଣାକୁ ନେଇ ବୁଡ଼ାଗୁଡ଼ା ଗ୍ରାମରେ ଗତକାଲି ଚାପା ଉତେଜନା ଦେଖାଦେଇଥିଲା । ପରିବାର ବର୍ଗ ଓ ଗ୍ରାମବାସୀ ଦୋଷୀକୁ ଯଥାଶୀଘ୍ର ଗିରଫ ଦାବିରେ ରାଜ୍ୟ ରାଜପଥ ଅବରୋଧ କରିଥିଲେ । କଲ୍ୟାଣସିଂହପୁର ପୁଲିସ ଚାନ୍ଦିଲି ଥାନା ଅଞ୍ଚଳ ଗାଡ଼ିଶେଷଖାଲ ପଞ୍ଚାୟତ ରାଣ୍ଡିକଣା ଗ୍ରାମର ତିନି ଜଣ କୁ ଅଟକ ରଖି ପଚରାଉଚରା କରିବା ସହ ଶବକୁ ବ୍ୟବଛେଦ କରାଇ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିଲା । ଏଠାରେ ସୂଚନାଯୋଗ୍ୟଯେ ଶୁକ୍ରବାର ରାତିରେ ସିକରପାଇ ଠାରେ ବାଲିଯାତ୍ରା ଚାଲିଥିବା ବେଳେ ଛୁରା ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ମୃତକ ହେଲେ ବୁଡ଼ାଗୁଡ଼ା ଗ୍ରାମର ଉତ୍ତରା କାଡ୍ରାକାଙ୍କ ପୁଅ ମହେଶ କାଡ୍ରାକା । ସେହି ଗ୍ରାମର ଅଚାନା କାଡ୍ରାକାଙ୍କ ପୁଅ ରୋହନ କାଡ୍ରାକା ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଏବଂ ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଡିଏଚଏଚ ରାୟଗଡା ସ୍ଥାନାନ୍ତର କରାଯାଇଥିଲା । ଏହାକୁ ନେଇ ଉତ୍ତେଜନା ବଢ଼ିବା ପରେ ଦୁଇ ଯୁବକଙ୍କୁ ଛୁରାମାଡ଼ କରାଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା । ଘଟଣା ସ୍ଥଳରେ ମହେଶଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ରୋହନଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଯାଇଛି । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.