ଭୁବନେଶ୍ୱର ଯାତ୍ରୀଙ୍କ ପାଇଁ ଧଉଳି ଏକ୍ସପ୍ରେସ୍ରେ ଅତିରିକ୍ତ ଶୟନଯାନ, ଫସିଥିବା ଯାତ୍ରୀଙ୍କୁ ଖାଦ୍ୟ ଓ ପାଣି ଯୋଗାଣ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବିଶାଖାପାଟଣା ରେଳ ଡିଭିଜନରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରେଳ ଚଳାଚଳ ବ୍ୟାହତ ହୋଇଥିବାବେଳେ ବାଲେଶ୍ୱର (ବିଏଲ୍ଏସ୍), ସୋର ସମେତ ବିଭିନ୍ନ ଷ୍ଟେସନରେ ଟ୍ରେନ୍ଗୁଡ଼ିକୁ ଅଟକାଇ ରଖାଯାଇଛି। ଫଳରେ ଯାତ୍ରୀମାନେ ଯାତ୍ରା ଜାରି ରଖିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପର୍ଯ୍ୟନ୍ତ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ସୁବିଧା ପାଇଁ ଧଉଳି ଏକ୍ସପ୍ରେସ୍ରେ ଏକ ଅତିରିକ୍ତ ଶୟନଯାନ (ସ୍ଲିପର୍ କୋଚ୍) ଯୋଡ଼ାଯାଇଛି। ଏହାଦ୍ୱାରା ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଅପେକ୍ଷାରତ ଯାତ୍ରୀମାନେ ବିକଳ୍ପ ଯାତ୍ରା ସୁବିଧା ପାଇପାରିବେ।ଅନ୍ୟପକ୍ଷରେ, ବିଭିନ୍ନ ଷ୍ଟେସନରେ ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ପ୍ୟାକେଟ୍ ଓ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି। ମଧ୍ୟବର୍ତ୍ତୀ ଷ୍ଟେସନଗୁଡ଼ିକ ସହ ଟ୍ରେନ୍ର ପାଣ୍ଟ୍ରି କାର୍ରେ ମଧ୍ୟ ଖାଦ୍ୟ ଓ ପାଣି ଉପଲବ୍ଧ କରାଯାଉଛି ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି। ବିଶାଖାପାଟଣା ଡିଭିଜନରେ ଜଳବନ୍ଦୀ ପରିସ୍ଥିତିରେ ସୁଧାର ଆସିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଳ ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି। ଯାତ୍ରୀମାନଙ୍କ ସୁରକ୍ଷା ଓ ସୁବିଧାକୁ ଗୁରୁତ୍ୱ ଦେଇ ଆବଶ୍ୟକ ବିକଳ୍ପ ବ୍ୟବସ୍ଥା ଜାରି ରହିଛି।





