ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ନିକଟସ୍ଥ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ସୁରକ୍ଷା ବ୍ୟାରିକେଡ୍କୁ ଧକ୍କା ଦେବା ପରେ ହୁତୁହୁତୁ ହୋଇ ଜଳିଯାଇଛି। ଏହି ଘଟଣାରେ କାର୍ରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗୁରୁବାର ରାତିରେ ମୋଟେର ପାର୍ଶ୍ୱରୁ ଜୁନାଗଡ଼ ଅଭିମୁଖେ ଏକ କାର୍ ଦ୍ରୁତଗତିରେ ଆସୁଥିବା ସମୟରେ ହାତୀ ନଦୀ ପୋଲ ନିକଟରେ ଚାଳକ ଗାଡ଼ିର ନିୟନ୍ତ୍ରଣ ହରାଇଥିଲେ। ଫଳରେ କାର୍ଟି ରାସ୍ତାକଡ଼ରେ ଥିବା ସୁରକ୍ଷା ବ୍ୟାରିକେଡ୍ରେ ଜୋରଦାର ଧକ୍କା ହୋଇଥିଲା। ଧକ୍କା ପରେ କାର୍ରେ ହଠାତ୍ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଦୁର୍ଘଟଣା ସମୟରେ କାର୍ ଭିତରେ ଦୁଇ ଜଣ ଥିବା ଜଣାପଡ଼ିଛି। ଗାଡ଼ିରେ ନିଆଁ ବ୍ୟାପିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ସାହସିକ ପଦକ୍ଷେପ ଯୋଗୁଁ ଦୁଇ ଜଣଙ୍କ ଜୀବନ ରକ୍ଷା ପାଇଥିବାବେଳେ ଉଭୟ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା। ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ସୂଚନା ପାଇ ଜୁନାଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲିଭିବା ବେଳକୁ କାର୍ଟି ପ୍ରାୟ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍କୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।





