ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କଦଳୀଘାଟି କୁଚେଇଯୋର ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କେଏ ୪୮ଏ ୦୯୭୦ ନମ୍ବର ବିଶିଷ୍ଟ ଏକ ଦ୍ରୁତଗାମୀ ବଲ୍କର ଧକ୍କାରେ ଦୁଇ ମୋଟରସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ମୃତକ ହେଲେ ଲାଞ୍ଜିଗଡ଼ ବ୍ଲକ ବନ୍ଧପାରୀ ପଞ୍ଚାୟତ ପ୍ରତିବେଡା ଗାଁର ଦୁର୍ଯ୍ୟ ଭୋଇ (୩୦) ଓ ଦିଗମ୍ବର ଗୌଡ଼ (୧୭)। ସୂଚନା ଅନୁଯାୟୀ, ଦୁର୍ଯ୍ୟ ନିଜ ଶ୍ୱଶୁର ଘରକୁ ନିଜ ଗାଁର ଦିଗମ୍ବରକୁ ସାଙ୍ଗରେ ନେଇ ଯାଉଥିବା ବେଳେ କୁଚେଇଯୋର ନିକଟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ବଲ୍କର ଧକ୍କା ଦେଇ ଦଳି ଦେଇଥିଲା। ଖବର ପାଇ ନର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଓ ଗାଡ଼ିକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଥାନାରେ ମାମଲା ରୁଜୁ ହୋଇନଥିବାରୁ ସୋମବାର ଶବ ବ୍ୟବଚ୍ଛେଦ ହୋଇପାରି ନଥିଲା। ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ।ଏହି ଘଟଣାକୁ ନେଇ ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ କୁଚେଇଯୋର ଠାରେ ରାସ୍ତାରୋକ କରିଥିଲେ। ଫଳରେ ଭବାନୀପାଟଣା-ରାୟଗଡ଼ା ରାସ୍ତାରେ ପ୍ରାୟ ୪ ଘଣ୍ଟା ଧରି ଯାତାୟାତ ଠପ୍ ହୋଇଯାଇଥିଲା। ପରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀଙ୍କ ନେତୃତ୍ୱରେ ନର୍ଲା ଥାନାଧିକାରୀ କୈବଲ୍ୟ ସେଠ୍, ବିଶ୍ୱନାଥପୁର ଥାନାଧିକାରୀ କଳ୍ପନା ବେହେରା, ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀ ମୋହନ ପିଡିକା, ଏସଆଇ ପ୍ରବୀଣ କୁମାର ରଥ, ଅଭିନାଶ ଖୁରା ପ୍ରମୁଖ ଉପସ୍ଥିତ ରହି ବୁଝାସୁଝା କରି ରାସ୍ତାରୋକ ହଟାଇଥିଲେ। ଘଟଣାସ୍ଥଳରେ ନର୍ଲା ତହସିଲଦାର ବିଭୁପ୍ରସାଦ ସିଂ ପହଞ୍ଚି ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିଥିଲେ। ପ୍ରଶାସନର ହସ୍ତକ୍ଷେପ ପରେ ୪ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା ଓ ଯାତାୟାତ ସ୍ୱାଭାବିକ ହୋଇଛି। ଦୁର୍ଯ୍ୟ ଭୋଇଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଓ ଦୁଇ ଛୋଟ ପୁଅ ରହିଥିବା ବେଳେ ଦିଗମ୍ବର ଗୌଡ଼ଙ୍କ ପରିବାରରେ କେବଳ ତାଙ୍କ ବୃଦ୍ଧା ମା’ ରହିଛନ୍ତି। ଉଭୟ ପରିବାରର ଭରଣପୋଷଣ ପାଇଁ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି।





