ରାକ୍ସି ପଞ୍ଚାୟତରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାକ୍ସି ପଞ୍ଚାୟତ ପରିସରରେ ମଙ୍ଗଳବାର ଦିନ ନର୍ଲା ପଞ୍ଚାୟତ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର। ନର୍ଲା ବିଏସଏସଓ ପ୍ରଦୀପ ବେହେରାଙ୍କ ତତ୍ବାବଧାନରେ ଏନେଇ ଆୟୋଜିତ ଉଦଘାଟନୀ ସମାରୋହରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, କର୍ଲାମୁଣ୍ଡା ଜିଲ୍ଲା ପରିଷଦ ସଦସ୍ୟ ତଥା କଳାହାଣ୍ଡି ଜିଲ୍ଲା ଭିନ୍ନକ୍ଷମ ସମିତି ସଭାପତି ସୁରେଶ ଚନ୍ଦ୍ର ଚୌଧୁରୀ, ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ନର୍ଲା ଏବିଡିଓ ଦେବେନ୍ଦ୍ର ସାମଲ, ଡିଡିଆରଓ ନିବାଶ ଚନ୍ଦ୍ର ସାହୁ, ଜିଲ୍ଲା ଭିନ୍ନକ୍ଷମ ସମିତିର ସାଧାରଣ ସମ୍ପାଦକ ଡୋଲାମଣି ପଧାନ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ସମିତି ସଭ୍ୟ ଚୁମନ ଭୋଇ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ବାଗପୁର ସରପଞ୍ଚ ଗୋପାଳ ହାତୀ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ଧଙ୍ଗଡାମାଝୀ।

ଏହି ଶିବିରରେ ଅସ୍ଥିଶୈଲ୍ୟ ବିଶେଷଜ୍ଞ ଡା. ସୁନୀଲ କୁମାର ପାଢୀ, ମାନସିକ ରୋଗ ବିଶେଷଜ୍ଞ ଡା. ଅନନ୍ତ ଚରଣ ମେହେର, ଆଖି, ନାକ, ଗଳା ବିଶେଷଜ୍ଞ ଡା. ପ୍ରଦ୍ୟୁମ୍ନ କିଶୋର ପଣ୍ଡା, ଚକ୍ଷୁ ବିଶେଷଜ୍ଞ ଡା. ନିବେଦିତା ମହାରଣାଙ୍କ ସମେତ ବିଭାଗୀୟ ଟେକନିସିଆନମାନେ ଉପସ୍ଥିତ ରହି ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପରୀକ୍ଷା କରିଥିଲେ। ଏହି ଅବସରରେ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରମାଣପତ୍ର ଓ ଆବଶ୍ୟକୀୟ ଉପକରଣ ସବୁ ପ୍ରଦାନ କରାଯାଇଥିଲା।

ବିଭିନ୍ନ ବିଭାଗର ପଞ୍ଜିକରଣ ଓ ଚିଠା ପ୍ରସ୍ତୁତି ଦାଇତ୍ୱରେ ନର୍ଲା ବ୍ଲକର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଯୋଗାଣ ସହାୟକ ଓ ଏଡିଇଓମାନେ ଦାଇତ୍ୱ ତୁଲାଇ ଥିଲେ। ସେହିଭଳି ରାକ୍ସି ପିଇଓ ଶହଶ୍ରାଂସୁ ମିଶ୍ର, ଯୋଗାଣ ସହାୟକ ଚୈତନ୍ୟ ସାହୁ ଓ ବ୍ଲକର ଅନ୍ୟାନ୍ୟ ଷ୍ଟାଫମାନେ ମଧ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପୂର୍ବରୁ ବ୍ଲକ ମୁଖ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହେଉଥିବାବେଳେ ବର୍ତ୍ତମାନ ପଞ୍ଚାୟତ ସ୍ତରରେ ଏହା ପ୍ରଥମ ଥର ପାଇଁ ଆୟୋଜନ କରିଥିବାରୁ ନର୍ଲା ବ୍ଳକ୍ ପ୍ରଶାସନକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.