ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଜୟପାଟଣାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ଜୟପାଟଣାର ବାସିନ୍ଦା ବଜରଙ୍ଗ ଅଗ୍ରୱାଲଙ୍କ ବାସଭବନରେ ପୋଲିସ ଚଢ଼ାଉ କରିଥିଲା। ଆବାସିକ ଅଞ୍ଚଳରେ ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଏବଂ ବ୍ୟବସାୟ କରିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିଲା। ସୂଚନା ଅନୁଯାୟୀ, ପୂର୍ବରୁ ମଧ୍ୟ ଏହିଭଳି ଘଟଣାରେ ପ୍ରାୟ ଚାରି ଟ୍ରକ୍ ବାଣ ଜବତ ହୋଇଥିବା ଜଣାପଡ଼ିଛି। ଚଳିତ ଥର ମଧ୍ୟ ପୋଲିସ ବିଭିନ୍ନ ସ୍ଥାନରେ ତଲାସି କରିବା ସମୟରେ ବଜରଙ୍ଗ ଅଗ୍ରୱାଲଙ୍କ ବାସଭବନର ଏକ କୋଠରୀରୁ ପ୍ରାୟ ୧୦ଟି ବଡ଼ କାର୍ଟୁନ୍ ବାଣ ଜବତ କରିଛି। ଜବତ ବାଣଗୁଡ଼ିକୁ ପୋଲିସ ନିଜ ହେପାଜତକୁ ନେଇ ଥାନାରେ ରଖିଛି। ଏହି ଘଟଣାରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଆଇନ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି।





