ଭତ୍ତା ଅବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲେଶ୍ୱରର ବିଜେଡି ୱାର୍ଡ କାଉନସିଲର ମୀନା ମହାନ୍ତି

ଯୋଗ୍ୟ ହିତାଧିକାରୀ ଭତ୍ତାରୁ ବଞ୍ଚିତ, ପାଉଥିବା ଲୋକଙ୍କୁ ମଧ୍ୟ ମିଳୁନି ନିୟମିତ ଅର୍ଥ; ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଓ ଅବିବାହିତଙ୍କ ସମସ୍ୟା ନେଇ ସରକାରଙ୍କ ହସ୍ତକ୍ଷେପ ଦାବି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପ୍ରଦାନକୁ ନେଇ ଦେଖାଦେଇଥିବା ଅବ୍ୟବସ୍ଥା ଏବେ ଅସହାୟ ଓ ଗରିବ ହିତାଧିକାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଯୋଗ୍ୟତା ଥାଇ ମଧ୍ୟ ଅନେକ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଓ ଅବିବାହିତ ବ୍ୟକ୍ତି ଭତ୍ତାରୁ ବଞ୍ଚିତ ରହୁଥିବା ବେଳେ ଯେଉଁମାନେ ଭତ୍ତା ପାଉଛନ୍ତି, ସେମାନଙ୍କୁ ମଧ୍ୟ ନିୟମିତ ଭାବେ ଅର୍ଥ ମିଳୁନଥିବା ଅଭିଯୋଗ ଉଠିଛି। ଏଭଳି ଏକ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ବାଲେଶ୍ୱର ପୌରପାଳିକାର ୨୪ ନମ୍ବର ୱାର୍ଡର କାଉନସିଲର ତଥା ବିଜୁ ମହିଳା ଜନତା ଦଳର ବାଲେଶ୍ୱର ସଭାପତି ମୀନା ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହି ଲିଖିତ ନିବେଦନରେ ସେ ବାଲେଶ୍ୱର ପୌରାଞ୍ଚଳରେ ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଓ ଅବିବାହିତ ଭତ୍ତା ପାଇବାକୁ ଯୋଗ୍ୟ ଥିବା ଅନେକ ବ୍ୟକ୍ତି ଏବେ ମଧ୍ୟ ଯୋଜନାରେ ସାମିଲ ହୋଇପାରିନଥିବା ସମସ୍ୟା ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ମଧ୍ୟ ନିର୍ଦ୍ଧାରିତ ସମୟରେ ଅର୍ଥ ମିଳୁନଥିବାରୁ ସେମାନେ ଆର୍ଥିକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ବୟସ୍କ, ଅସହାୟ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ଭତ୍ତା ଅର୍ଥ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଆର୍ଥିକ ଆଶ୍ରା ହୋଇଥିବାରୁ ଏଥିରେ ବିଳମ୍ବ ସେମାନଙ୍କ ଜୀବନଯାପନକୁ ପ୍ରଭାବିତ କରୁଛି । ସରକାର ଗରିବ ଓ ଅସହାୟଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ପାଇଁ ଯୋଜନା ପ୍ରଣୟନ କରୁଥିବା ସତ୍ତ୍ୱେ ତାହାର ସୁଫଳ ଯଦି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନାହିଁ, ତେବେ ଯୋଜନାର ଉଦ୍ଦେଶ୍ୟ ସାଧନ ହେବ କିପରି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ତୁରନ୍ତ ଭତ୍ତା ଯୋଜନାରେ ସାମିଲ କରିବା, ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ବ୍ୟକ୍ତିଙ୍କ ଆବେଦନର ତ୍ୱରିତ ଯାଞ୍ଚ କରିବା, ଭତ୍ତା ପ୍ରଦାନରେ ରହିଥିବା ବିଳମ୍ବ ଦୂର କରିବା ଏବଂ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ନିୟମିତ ଭାବେ ଭତ୍ତା ମିଳିବା ସୁନିଶ୍ଚିତ କରିବାକୁ ସେ ଦାବି ଜଣାଇଛନ୍ତି । ଏକ ଜନପ୍ରତିନିଧି ଭାବେ ନିଜ ଅଞ୍ଚଳର ଅସହାୟ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନଜରକୁ ଆଣିବା ଏବଂ ସେମାନଙ୍କ ନ୍ୟାଯ୍ୟ ଅଧିକାର ସୁରକ୍ଷିତ କରିବା ତାଙ୍କ ଉଦ୍ୟମ ବୋଲି ନିବେଦନରେ ଉଲ୍ଲେଖ କରାଯାଇଛି । ଏବେ ଏହି ଚିଠି ପରେ ରାଜ୍ୟ ସରକାର ଓ ସମ୍ପୃକ୍ତ ବିଭାଗ ଏହି ସମସ୍ୟାର ସମାଧାନ ଦିଗରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ବାଲେଶ୍ୱରବାସୀଙ୍କ ନଜର ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.