ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ୟୁଜିସ କଳା ଆଇନ୍ ପ୍ରତ୍ୟାହାର ଦାବିରେ ଓଡ଼ିଶା ବ୍ରାହ୍ମଣ ମହାସଂଘ ପକ୍ଷରୁ ଦିଆଯାଇଥିବା ଆହ୍ୱାନକ୍ରମେ ଆଜି ଜୁନାଗଡ଼ ବ୍ଲକ ବ୍ରାହ୍ମଣ ସମାଜ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜୁନାଗଡ଼ ବ୍ଲକ ବ୍ରାହ୍ମଣ ସମାଜର ପ୍ରତିନିଧିମାନେ ଜୁନାଗଡ଼ ବିଡିଓଙ୍କ ଜରିଆରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ବ୍ରାହ୍ମଣ ମହାସଂଘର ଆହ୍ୱାନ ଅନୁଯାୟୀ ନଭେମ୍ବର ୩ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରରେ ଏହି କାର୍ଯ୍ୟକ୍ରମ କରାଯାଇଛି। ଏହି କ୍ରମରେ ଜୁନାଗଡ଼ ବ୍ଲକ ବ୍ରାହ୍ମଣ ସମାଜ ପକ୍ଷରୁ ୟୁଜିସ କଳା ଆଇନ୍ ପ୍ରତ୍ୟାହାର କରିବା ଦାବି ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସମାଜ ପକ୍ଷରୁ କୁହାଯାଇଛି ଯେ, ଶିକ୍ଷା ବ୍ୟବସ୍ଥା ଓ ଉଚ୍ଚଶିକ୍ଷା ସହ ସମ୍ପୃକ୍ତ ଏହି ପ୍ରସଙ୍ଗରେ ସମସ୍ତ ପକ୍ଷଙ୍କ ମତାମତ ଓ ହିତକୁ ବିଚାରକୁ ନେଇ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଏଥିସହ ୟୁଜିସି କଳା ଆଇନ୍ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇବା ଉଦ୍ଦେଶ୍ୟରେ ଏହି ସ୍ମାରକପତ୍ର ଦିଆଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଜୁନାଗଡ଼ ବ୍ଲକ ବ୍ରାହ୍ମଣ ସମାଜର ସଭାପତି ଶାନ୍ତନୁ ଯୋଶୀ, ସମ୍ପାଦକ ପ୍ରଭାତ ଦାଶ, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ସରପଞ୍ଚ ତାରା ରାଇଗୁରୁ, କୁବେଲେଶ୍ୱର ପାଣିଗ୍ରହୀ, ରାଜୁ ସାମନ୍ତରାୟ, ରମେଶ ପଣ୍ଡା, ସୋରଜ ପଣ୍ଡା, କୁଲୁ ଦାଶ, ବିଦ୍ୟାଧର ତ୍ରିପାଠୀ, ରାଧେଶ୍ୟାମ ପଣ୍ଡା ଓ ଆଶୁତୋଷ ରଥଙ୍କ ସମେତ ବ୍ରାହ୍ମଣ ସମାଜର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବ୍ରାହ୍ମଣ ସମାଜ ପକ୍ଷରୁ ଏକତ୍ରିତ ହୋଇ ଦାବିପତ୍ର ପ୍ରଦାନ କରାଯିବା ସହ ଦାବି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆଗାମୀ ଦିନରେ ମଧ୍ୟ ଏହି ପ୍ରସଙ୍ଗରେ ଆବଶ୍ୟକ ହେଲେ ଗଣତାନ୍ତ୍ରିକ ଉପାୟରେ ଦାବି ଉପସ୍ଥାପନ କରାଯିବ ବୋଲି ଜୁନାଗଡ଼ ବ୍ଲକ ବ୍ରାହ୍ମଣ ସମାଜ ପକ୍ଷରୁ କୁହାଯାଇଛି।





